ବାଲେଶ୍ୱରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ : ବରିଷ୍ଠ ଯୋଗଗୁରୁ ଦେଲେ ଯୋଗ ପ୍ରଶିକ୍ଷଣ 

0
ବାଲେଶ୍ୱର, ୨୧/୬(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର ଏବଂ ଯୋଗ ମହୋତ୍ସବ ସମିତିର ସହଯୋଗରେ ଆଇ.ଟି.ଆଇ. ଛକ ସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ – ୨୦୨୬ ସଫଳତାର ସହ ପାଳିତ ହୋଇଯାଇଛି।
ଚଳିତ ବର୍ଷ ‘ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ, ନିୟମିତ ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ’ ବାର୍ତ୍ତାକୁ ନେଇ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମର ଏକ ସୁନ୍ଦର ଝଲକ ଦେଖିବାକୁ ମିଳିଛି।
ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ମାନସ କୁମାର ଦତ୍ତ, ବିଶିଷ୍ଟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ସମେତ ଯୋଗ ମହୋତ୍ସବ ସମିତିର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ବାଲେଶ୍ୱର ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଅତ୍ୟନ୍ତ ସଫଳତାର ସହ ସଂଯୋଜନା ଓ ପରିଚାଳନା କରିଥିଲେ। ଅତିଥିମାନଙ୍କ ଆଗମନ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ଏହାପରେ ପ୍ରାରମ୍ଭିକ ଅଭିଭାଷଣ ସହ ମାନ୍ୟବର ଅତିଥିମାନେ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଏବଂ ଶାରୀରିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଏହାର ଭୂମିକା ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହା ପରେ ଯୋଗ ମହୋତ୍ସବ ସେବା ସମିତିର ବରିଷ୍ଠ ଯୋଗ ଗୁରୁ ମାନଙ୍କ ଦ୍ଵାରା ଯୋଗ ପ୍ରଶିକ୍ଷଣ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ସହ ଏହି ମହାନ କାର୍ଯ୍ୟକ୍ରମର ସାଙ୍ଗଠନିକ ସମାପ୍ତି ଘଟିଥିଲା।
ଏହି ଅବସରରେ ଷ୍ଟାଡିୟମ ପରିସରରେ ଶତାଧିକ ଯୋଗପ୍ରେମୀ, ସମାଜସେବୀ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ଏକାଠି ହୋଇ ସାମୂହିକ ଯୋଗାଭ୍ୟାସ କରିଥିଲେ। ଏହି ପରିପ୍ରେକ୍ଷିରେ ବାଲେଶ୍ବର ଜିଲ୍ଲାର ସମସ୍ତ ବ୍ଲକ, ପଞ୍ଚାୟତ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ମଧ୍ୟ ଏହି ଯୋଗ ଦିବସ ପାଳନ କରାଯାଇଥିଲା।
Leave A Reply

Your email address will not be published.