ଚୋରି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଏକ ବର୍ଷ କାରାଦଣ୍ଡ

0

ନବରଙ୍ଗପୁର, ୨୫/୦୮/୨୦୨୬ (ଶେଖର ଖୁରା): ଏକ ଚୋରି ମାମଲାର ବିଚାର କରି ନବରଙ୍ଗପୁରର ମାନ୍ୟବର ଉପଖଣ୍ଡୀୟ ବିଚାର ବିଭାଗୀୟ ବିଚାରପତି ଶ୍ରୀ ସୌମ୍ୟ ଶଙ୍କର ମହାନ୍ତ ଦୁଇ ଅଭିଯୁକ୍ତ ବନସିଂ ବିନ୍ଧାଣୀ ଓ ନରହରି ବିନ୍ଧାଣୀଙ୍କୁ ଏକ ବର୍ଷ କାରାଦଣ୍ଡ ସହ ୧,୦୦୦ ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଥଦଣ୍ଡ ଅନାଦେୟ ହେଲେ ଅତିରିକ୍ତ ଏକ ମାସ କାରାଦଣ୍ଡ ଭୋଗିବାକୁ ରାୟ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୦୪/୦୬/୨୦୨୫ ତାରିଖରେ ଜଗଦୀଶ ମାଝୀ ନବରଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ନବରଙ୍ଗପୁର ଦାଶ ହୋଟେଲ ନିକଟରେ ନିଜର HF Deluxe ମୋଟରସାଇକେଲ (ନମ୍ବର OD-24-2391) ରଖି ଖାଦ୍ୟ ଖାଇବାକୁ ଯାଇଥିବା ବେଳେ ତାଙ୍କ ଗାଡ଼ି ଚୋରି ହୋଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ।

ଏହି ଘଟଣାକୁ ନେଇ ନବରଙ୍ଗପୁର ଥାନାରେ କେସ୍ ନମ୍ବର ୨୦୨/୨୫ ରୁଜୁ ହୋଇଥିଲା। ପୁଲିସ ତଦନ୍ତ କରି ବନସିଂ ବିନ୍ଧାଣୀ ଓ ନରହରି ବିନ୍ଧାଣୀଙ୍କୁ ଅଭିଯୁକ୍ତ ଭାବେ ଚିହ୍ନଟ କରି ଗିରଫ କରିଥିଲା। ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୦୩(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ମାମଲାର କୋର୍ଟ କେସ୍ ନମ୍ବର GR-755/25 ରହିଥିଲା।

ମାମଲାରେ ଉପସ୍ଥାପିତ ୭ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡର ରାୟ ଶୁଣାଇଛନ୍ତି।

ସରକାରଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର ଶ୍ରୀ ରାମଚନ୍ଦ୍ର ନାୟକ ମାମଲା ପରିଚାଳନା କରୁଥିଲେ।

ଅଦାଲତଙ୍କ ରାୟରେ ତ୍ୱରିତ ନ୍ୟାୟ ପାଇଥିବାରୁ ପୀଡ଼ିତ ଓ ତାଙ୍କ ପରିବାର ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।

— ଶେଖର ଖୁରା, ନବରଙ୍ଗପୁର

Leave A Reply

Your email address will not be published.