କୋରାପୁଟ/ନନ୍ଦପୁର: 25/8 କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ – ହାତୀବାରି ଗ୍ରାମପଞ୍ଚାୟତ ଅଞ୍ଚଳରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ହାତୀବାରିର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଭିନ୍ନ ଗୁରୁତର ଅଭିଯୋଗ ଆଣି କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି।
ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ପ୍ରଧାନ ଶିକ୍ଷୟିତ୍ରୀ ଦୀର୍ଘ ପ୍ରାୟ ୩ ବର୍ଷ ଧରି ଦାୟିତ୍ୱରେ ଥିବା ସତ୍ତ୍ୱେ ବିଦ୍ୟାଳୟର ପରିଚାଳନା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପ୍ରତି ଅବହେଳା କରୁଥିବା ଅଭିଯୋଗ ହୋଇଛି।
ଏଥିସହ ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ସରକାରୀ ଅନୁଦାନର ଅପବ୍ୟବହାର, ମିଥ୍ୟା ବିଲ୍ କରି ଅର୍ଥ ଆତ୍ମସାତ, ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ କ୍ରୀଡ଼ା ସାମଗ୍ରୀ ନ କିଣିବା ଏବଂ ଏନେଇ ଅନିୟମିତତା ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।
ବିଦ୍ୟାଳୟରେ ଅଧ୍ୟୟନରତ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଅବହେଳା କରାଯାଉଥିବା ସହିତ ସେମାନଙ୍କ ପାଇଁ ଶୌଚାଳୟ ଓ ସ୍ନାନ ସୁବିଧା ଥିଲେ ମଧ୍ୟ ସାବୁନ, ଫିନାଇଲ ଆଦି ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି।

ସେହିପରି ବିଦ୍ୟାଳୟ କମିଟି ଓ ଗ୍ରାମର ମହିଳାମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରିବାରୁ ସେମାନଙ୍କୁ ଧମକ ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ପତ୍ରରେ ଦାବି କରାଯାଇଛି।
ଅନ୍ୟପକ୍ଷରେ ବିଦ୍ୟାଳୟରେ ପ୍ରାୟ ୨୫୦ ଜଣ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରତିଦିନ ପ୍ରାୟ ୧୦୦ରୁ ୧୨୦ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ସତ୍ତ୍ୱେ ସମସ୍ତଙ୍କ ଉପସ୍ଥାନ ଦର୍ଶାଇ ମଧ୍ୟାହ୍ନ ଭୋଜନ ଅନୁଦାନର ଅର୍ଥରେ ଅନିୟମିତତା ହେଉଥିବା ମଧ୍ୟ ଅଭିଯୋଗ ରହିଛି।ଗ୍ରାମର SHG ଗ୍ରୁପ୍ ଓ ଗ୍ରାମ ବାସୀ ସମସ୍ତ ଅଭିଯୋଗ ନେଇ ବ୍ଲକ୍ ଅଫିସ ଯାଇ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଜଣାଇ ଥିଲେ କିନ୍ତୁ କିଛି ଫଳ ପ୍ରଦ ହେଲାନାହିଁ ।
ତେଣୁ ଆଜି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ଜଣାଇବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ଏବଂ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ନିଯୁକ୍ତ କରିବାକୁ ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ତେବେ ଅଭିଯୋଗଗୁଡ଼ିକର ସତ୍ୟତା ସରକାରୀ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
କୋରାପୁଟ ରୁ ସୁରେନ୍ଦ୍ର ଖୋସଲାଙ୍କ ରିପୋର୍ଟ ।