ପ୍ରସ୍ତାବିତ ଆଣବିକ ପ୍ରକଳ୍ପ ପ୍ରତିବାଦରେ ଜନସାଧାରଣଙ୍କ ଶକ୍ତି ପ୍ରଦର୍ଶନ

0

ନବରଙ୍ଗପୁର, ୨୫/୮ (ଶେଖର ଖୁରା ) — ତେନ୍ତୁଳୀଖୁଣ୍ଟି ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ପ୍ରକଳ୍ପକୁ ନେଇ ଜନଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପ୍ରକଳ୍ପକୁ ବାତିଲ କରିବା ଦାବିରେ ମଙ୍ଗଳବାର ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳର ୪୦ରୁ ଊର୍ଦ୍ଧ୍ୱ ଗ୍ରାମର ଶତାଧିକ ଲୋକ ନବରଙ୍ଗପୁର ସହରର ରାଜରାସ୍ତାକୁ ଓହ୍ଲାଇ ଏକ ବିଶାଳ ପ୍ରତିବାଦ ରାଲି କରିଥିଲେ।

ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବିରୋଧୀ ଦଳର ବରିଷ୍ଠ ନେତାମାନେ ମଧ୍ୟ ଏକାଠି ହୋଇଥିଲେ। ବିଜେଡି ପକ୍ଷରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ରମେଶ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନହର ରନ୍ଦା ରୀ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ଦଳୀୟ କର୍ମୀ ସାମିଲ ହୋଇଥିଲେ।ଶେଖର ଖୁରାଙ୍କ ରିପୋର୍ଟ ନବରଙ୍ଗପୁର,

ସେହିପରି କଂଗ୍ରେସ ପକ୍ଷରୁ ପୂର୍ବତନ ସାଂସଦ ଭୁଜବଳ ମାଝୀ, ଜିଲ୍ଲା ସଭାପତି ଲିପିକା ମାଝୀ, ଭାସ୍କର ପୁଜାରୀ, ପ୍ରହ୍ଲାଦ ହିଆଲଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଦଳୀୟ ଆଦର୍ଶକୁ ପଛରେ ପକାଇ ଅଞ୍ଚଳବାସୀଙ୍କ ସ୍ୱାର୍ଥ ଓ ଭିଟାମାଟିର ସୁରକ୍ଷା ପାଇଁ ବିଜେଡି ଓ କଂଗ୍ରେସର ବରିଷ୍ଠ ନେତାମାନେ ଏକାଠି ହୋଇ ଏହି ପ୍ରତିବାଦ ରାଲିର ନେତୃତ୍ୱ ନେଇଥିଲେ।

ନବରଙ୍ଗପୁର ସର୍କିଟ୍ ହାଉସ୍‌ଠାରୁ ଏକ ବିଶାଳ ରାଲି ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ପରେ ବିଜେଡି ଓ କଂଗ୍ରେସ ନେତାଙ୍କ ସହ ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ପ୍ରସ୍ତାବିତ ପ୍ରକଳ୍ପ ବାତିଲ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଉଭୟ ରାଜନୈତିକ ଦଳ ପକ୍ଷରୁ କୁହାଯାଇଛି। ଭବିଷ୍ୟତ ପିଢ଼ିର ସୁରକ୍ଷା ଓ ଭିଟାମାଟିକୁ ସୁରକ୍ଷିତ ରଖିବା ପାଇଁ ଏହି ପ୍ରକଳ୍ପକୁ କୌଣସି ପରିସ୍ଥିତିରେ କାର୍ଯ୍ୟକାରୀ କରିବାକୁ ଦିଆଯିବ ନାହିଁ ବୋଲି ଉଭୟ ଦଳର ନେତା ଓ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.