ନୂଆଦିଲ୍ଲୀ : ଇରାନ ପାଖରେ ମୁଣ୍ଡ ନୁଆଁଇଲେ ଟ୍ରଂପ ! ବନ୍ଦ ହେଲା ଇରାନ-ଆମରିକା ଯୁଦ୍ଧ ! ୨ ସପ୍ତାହ ଲାଗି ଅସ୍ତ୍ରବିରତି ଘୋଷଣା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବାଚାଳାମି ପରେ ଶେଷରେ ଇରାନର ଫାଶରେ ପଡ଼ିଛନ୍ତି ।
ଟ୍ରଂପଙ୍କ ପାଖରେ ୧୦ ସର୍ତ୍ତ ରଖି ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ବା ହର୍ମୁଜ ପ୍ରଣାଳୀକୁ ଖୋଲିବାକୁ ରାଜି ହେବା ପରେ ଯୁଦ୍ଧବିରତି ଘୋଷଣା କରିଛି ଆମେରିକା । ସବୁଠାରୁ ବଡ଼ କଥା ହେଉଛି, ଟ୍ରମ୍ପ ଆହୁରି କହିଛନ୍ତି ଆମେରିକା ତେହେରାନ ଠାରୁ ଦଶସୂତ୍ରୀ ପ୍ରସ୍ତାବ ପାଇଛି ।
ଏହାକୁ ଶାନ୍ତି ଆଲୋଚନାର ଆରମ୍ଭ ବୋଲି ବିବେଚନା କରିଛି ଆମେରିକା । ଇରାନ ଉପରେ ଜୋରଦାର ଆକ୍ରମଣ କରିବାକୁ ଚେତାବନୀ ଦେଇଥିବା ଟ୍ରଂପ ଏବେ ପୂରା ନରମୀ ଯାଇଛନ୍ତି ।
ଗତକାଲି ରାତିରେ ଗୋଟିଏ ସଭ୍ୟତା ସଂପୂର୍ଣ୍ଣ ଲୋପପାଇବ ବୋଲି କହିଥିଲେ ଟ୍ରଂପ । ହେଲେ ଏହି ଧମକ ଦେବାର କିଛି ଘଣ୍ଟା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହର ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ।
ଇରାନର ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ବିଭିନ୍ନ ବ୍ରିଜ ଉପରେ ଆକ୍ରମଣ ଧମକରୁ ବି ଓହରି ଯାଇଛନ୍ତି । ସେପଟେ ଆମେରିକାର ଏହି ଅସ୍ତ୍ରବିରତି ଘୋଷଣାକୁ ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି ମଧ୍ୟ ଗ୍ରହଣ କରିଛନ୍ତି ।
ସୋସିଆଲ ମିଡିଆରେ ଏକ ବିବୃତ୍ତି ପୋଷ୍ଟ କରି ଯୁଦ୍ଧବିରତିକୁ ସେ ସ୍ବୀକାର କରିଛନ୍ତି । ତେବେ ଇରାନର କେଉଁ ୧୦ ସର୍ତ୍ତକୁ ମାନିଛି ଆମେରିକା ଆସନ୍ତୁ ଜାଣିବା ।…
୧. ଭବିଷ୍ୟତରେ ଆମେରିକା ଆଉ ଆକ୍ରମଣ ନକରିବାର ଗ୍ୟାରେଣ୍ଟି
୨. ହର୍ମୁଜ୍ ପ୍ରଣାଳୀ ଉପରେ ଇରାନର ନିୟନ୍ତ୍ରଣ
୩. ୟୁରାନିୟମ ସଂଶୋଧନ ଅଧିକାରକୁ ସ୍ବୀକୃତି
୪. ସମସ୍ତ ପ୍ରତିବନ୍ଧକକୁ ହଟାଇବା
୫. ଜାତିସଂଘ ସୁରକ୍ଷା ପରିଷଦ ସମସ୍ତ ପ୍ରସ୍ତାବର ସମାପ୍ତି
୬. ସମସ୍ତ ଦ୍ବୀତିୟ କଟକଣା ପ୍ରତ୍ୟାହାର
୭. ପ୍ରଶାସକ ମଣ୍ଡଳୀର ସମସ୍ତ ପ୍ରସ୍ତାବର ସମାପ୍ତି
୮. ଇରାନରେ ହୋଇଥିବା କ୍ଷତିର ଭରଣା
୯. ଲେବାନନର ହିଜବୋଲା ବିରୋଧରେ ଲଢ଼େଇ ସମେତ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧ ବିରତି
୧୦. ଇରାନ ଅଞ୍ଚଳରୁ ଆମେରିକୀୟ ଯୁଦ୍ଧ ବାହିନୀ ପ୍ରତ୍ୟାହାର
ଯୁଦ୍ଧରେ ଅସ୍ତ୍ରବିରତି ପୂର୍ବରୁ ଟ୍ରଂପଙ୍କ ନିକଟରେ ଏମିତି କିଛି ସର୍ତ୍ତ ରଖିଥିଲା ଇରାନ । ଇରାନର ସର୍ତ୍ତଗୁଡ଼ିକୁ ଦେଖିଲେ ଏବଂ ଏହାକୁ ଆମେରିକା ମାନିଯିବା କଥାକୁ ତର୍ଜମା କଲେ ଜଣାପଡୁଛି କିଏ ଜିତିଛି ଆଉ କିଏ ହାରିଛି ।
ନଛୋଡ଼ବନ୍ଧା ଇରାନକୁ ଆଉ ହରାଇ ହେବନି ବୋଲି ଜାଣିଲା ପରେ ଶେଷରେ ବାଧ୍ୟ ହୋଇ ନିଜ ଇଜ୍ଜତ ବଞ୍ଚାଇବାକୁ ଇରାନର ସମସ୍ତ ସର୍ତ୍ତ ମାନିନେଇଛନ୍ତି ଟ୍ରମ୍ପ । ଏହି ସବୁ ସର୍ତ୍ତ ଆମେରିକା ମାନିନେବା ପରେ ବର୍ତ୍ତମାନ ଆମେରିକା-ଇରାନ ଯୁଦ୍ଧରେ ବିରାମ ଲାଗିଛି ।