ତୀର୍ଥଯାତ୍ରୀ ବସ ଦୁର୍ଘଟଣା:ତାଳଚେର କଣିହାଁ ଅଞ୍ଚଳର ଦୁଇ ମୃତ

ଅନଗୁଳ: ତୀର୍ଥଯାତ୍ରା କରି ଫେରୁଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳର ଦୁଇଜଣ ଥିବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ ଓଡିଶାରୁ ପ୍ରାୟ ୫୫ ଜଣଙ୍କୁ ନେଇ ଏକ ତୀର୍ଥଯାତ୍ରୀ ବସ ୧୫ ଦିନ ତଳେ ଯାତ୍ରା ଆରମ୍ଭ କରିଥିଲା । ତୀର୍ଥଯାତ୍ରୀ ମାନେ ଉତ୍ତରାଖଣ୍ଡ , ଗୟା ଆଦି ବୁଲି ଫେରୁଥିବା ବେଳେ ଝାଡଖଣ୍ଡ ହଜାରିବାଗର କଟକମସଙ୍ଗି ନିକଟରେ ଏକ ଫଳ ବୋଝେଇ ଟ୍ରକ ସହିତ ତୀର୍ଥଯାତ୍ରୀ ବସର ଦୁର୍ଘଟଣା ହୋଇଥିଲା । ଫଳରେ ବସରେ ଥିବା ପ୍ରାୟ ୩୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ବାଲେଶ୍ଵର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଅନୁଗୁଳ ଜିଲ୍ଲାର । ଅନୁଗୁଳ ଜିଲ୍ଲାର ମୃତକଙ୍କ ମଧ୍ୟରେ ଜଣେ କଣିହାଁ କଂସମୁଣ୍ଡା ଗାଁର ମନୁ ବେହେରା ଓ ଅନ୍ୟ ଜଣଙ୍କ ମସୁଣିହତା ଗାଁର ମେନକା ପ୍ରଧାନ ବୋଲି ସ୍ପଷ୍ଟ ଜଣା ପଡ଼ିଛି । ତେବେ ମୃତକ ମାନଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ ଶରୀର ଗାଁକୁ କିଭଳି ଅଣାଯିବ ସେ ନେଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସେଠିକାର ପ୍ରଶାସନ ସହ ଆଲୋଚନା କରି ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମାଧ୍ୟମରେ ମୃତକଙ୍କୁ ନେଇ ଅନୁଗୋଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

Comments are closed.