ରାଜରାସ୍ତାରେ ଭାଷା ନିୟମକୁ ଫୁ…ଟ୍ରା‌ଫିକ୍‌ ପୋଷ୍ଟ ଫଳକରେ ଇଂରାଜୀ

ଚନ୍ଦ୍ରଶେଖରପୁର: ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବୈଠକ କରି ଆଇନର କଡ଼ାକଡ଼ି ଅନୁପାଳନ ନିମନ୍ତେ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକାଧିକ ନିର୍ଦ୍ଦେଶନାମା ଇତିମଧ୍ୟରେ ଜାରି କରିଛନ୍ତି। ଯେଉଁ ପ୍ରତିଷ୍ଠାନ ନିୟମ ଉଲ୍ଲଂଘନ କରୁଛି, ତା’ଠାରୁ ଜରିମାନା ଆଦାୟ ସହ ଶ୍ରମ ବିଭାଗ ପକ୍ଷରୁ ମାମଲା କରାଯାଉଛି। ଏଭଳି ଆଇନର କଡ଼ାକଡ଼ି ପାଳନକୁ ବିଭିନ୍ନ ମହଲରେ ସ୍ବାଗତ ସହ ପ୍ରଶଂସା କରାଯାଉଛି। ହେଲେ ରାଜ୍ୟ ସରକାରଙ୍କ କେତେକ ବିଭାଗରେ ଏପର୍ଯ୍ୟନ୍ତ ଓଡ଼ିଆ ଲେଖାକୁ ବାଧ୍ୟତାମୂଳକ କରା ‌ଯାଇନାହିଁ। ଆଉ କେଉଁଠି ନୁହେଁ, ବରଂ ଖୋଦ୍‌ ରାଜଧାନୀରେ ରାଜରାସ୍ତାରେ ହିଁ ରାଜ୍ୟ ସରକାରଙ୍କ ନିୟମକୁ ଖୁଲ୍‌ମଖୁଲା ଉଲ୍ଲଂଘନ କରାଯାଉଛି। ସହରର ଛାତି ଉପରେ କମିସନରେଟ୍‌ ପୁଲିସ ପକ୍ଷରୁ ନିର୍ମାଣ ହୋଇଥିବା ଟ୍ରା‌ଫିକ୍‌ ପୋଷ୍ଟଗୁଡ଼ିକର ଫଳକ ଇଂରାଜୀ ଭାଷାରେ ଲେଖାଯାଇଛି। କେଉଁଠି କଳିଙ୍ଗ ଷ୍ଟାଡିୟମ ତ ଆଉ କେଉଁଠି ଜୟଦେବ ବିହାର ଇଂରାଜୀରେ ହିଁ ଉଲ୍ଲେଖ ରହିଛି। ୧୨୦ ବାଟାଲିୟନ୍‌ ସ୍କୋୟାର, ଏ ଜି ସ୍କୋୟାର ପରି ଛକର ନାମ ଇଂରାଜୀ ଭାଷାରେ ରହିଛି। କେବଳ ଏହି ଗୋଟିଏ କି ଦୁଇଟି ଟ୍ରାଫିକ୍‌ ପୋଷ୍ଟ ନୁହେଁ, ବରଂ ସହରର ଅଧିକାଂଶ ଟ୍ରାଫିକ୍‌ ପୋଷ୍ଟରେ କମିସନରେଟ୍‌ ପୁଲିସର ଏଭଳି ଇଂରାଜି ପ୍ରୀତି ଦେଖିବାକୁ ମିଳିଛି।

Comments are closed.