ବାଲେଶ୍ୱର, ୧୬/୯(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରର ପ୍ରମୁଖ ପ୍ରବେଶପଥ ତାମୁଳିଆ ଉଡ଼ନ୍ତା ପୋଲର ମରାମତି କାର୍ଯ୍ୟ ପାଇଁ ଯାତାୟାତ ବନ୍ଦ ହେବାର ଆଠ ଦିନ ପରେ ସହର ଓ ଏହାର ଆଖପାଖ ଅଞ୍ଚଳରେ ଯାତାୟାତ ସମସ୍ୟା ଗୁରୁତର ହୋଇପଡ଼ିଛି। ବିକଳ୍ପ ରାସ୍ତାରେ ଅତ୍ୟଧିକ ଯାନବାହନ ଚାପ ଯୋଗୁଁ ଅସମ୍ଭାଳ ଭିଡ଼ ସୃଷ୍ଟି ହେଉଥିବା ବେଳେ ଦୀର୍ଘ ରାସ୍ତା ଅତିକ୍ରମ କରିବାରୁ ସହରବାସୀଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓ ସୀମାବର୍ତ୍ତୀ ଅଞ୍ଚଳର ଲୋକେ ମଧ୍ୟ ହନ୍ତସନ୍ତ ହେଉଛନ୍ତି।
ତାମୁଳିଆ ବ୍ରିଜ୍ ବନ୍ଦ ପରେ ପ୍ରଶାସନ ପକ୍ଷରୁ ଶୋଭାରମପୁର ବ୍ରିଜ୍ ଦେଇ ରେମୁଣା ଗୋଲେଇ ରାସ୍ତାରେ ଯାତାୟାତ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଥିଲି। ତେବେ ଏହି ରାସ୍ତାରେ ଯାନବାହନର ଚାପ ବଢ଼ିଯିବାରୁ ଅନେକ ସମୟରେ ଦୀର୍ଘ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଛି। ଫଳରେ ଶୀଘ୍ର ଗନ୍ତବ୍ୟରେ ପହଞ୍ଚିବା ପାଇଁ କିଛି ଲୋକ ବିପଦପୂର୍ଣ୍ଣ ବିକଳ୍ପ ପଥ ବାଛୁଥିବା ଦେଖାଯାଉଛି।
ବିଶେଷକରି ଆଳୁପୁର ଅଞ୍ଚଳରେ ରେଳଧାରଣା ଉପରେ ଦୁଇଚକିଆ ଯାନ ନେଇ ଲୋକେ ଯାତାୟାତ କରୁଥିବା ଦୃଶ୍ୟ ଏବେ ଚିନ୍ତାର କାରଣ ହୋଇଛି। ଲକ୍ଷ୍ମୀନାରାୟଣ ମନ୍ଦିର ପଛପଟ ଦେଇ ଆଳୁପୁର ରେଳଧାରଣା ପାର ହୋଇ ବାଇକ୍ରେ ଯାତାୟାତ କରୁଥିବା ଲୋକଙ୍କୁ ଦେଖିବାକୁ ମିଳୁଛି। ଏଠାରେ ରେଳ ଫାଟକ ନଥିବା ସହ ସୁରକ୍ଷିତ ରେଳପଥ ପାରେଇବାର ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ଟ୍ରେନ୍ ଆସିବା ସମୟରେ ସାମାନ୍ୟ ଅସାବଧାନତା ମଧ୍ୟ ଗୁରୁତର ଦୁର୍ଘଟଣାର କାରଣ ହୋଇପାରେ।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଆଳୁପୁର ରେଳଧାରଣା ଦେଇ ଏଭଳି ବିପଦପୂର୍ଣ୍ଣ ଯାତାୟାତ କେବଳ ତାମୁଳିଆ ବ୍ରିଜ୍ ବନ୍ଦ ପରଠାରୁ ଆରମ୍ଭ ହୋଇନାହିଁ। ବର୍ଷ ତମାମ ଏହି ଅଞ୍ଚଳର କିଛି ଲୋକ ରେଳ ଫାଟକ ନଥିବା ସତ୍ତ୍ୱେ ରେଳଧାରଣା ପାର ହୋଇ ଯାତାୟାତ କରୁଥିବା ଅଭିଯୋଗ ରହିଛି। ତେବେ ତାମୁଳିଆ ଓଭରବ୍ରିଜ୍ ବନ୍ଦ ହେବା ପରେ ଏହି ବିପଦପୂର୍ଣ୍ଣ ପଥ ଉପରେ ଲୋକଙ୍କ ନିର୍ଭରଶୀଳତା ଆହୁରି ବଢ଼ିଛି।
ଚିନ୍ତାର ବିଷୟ ହେଉଛି, ଲୋକଙ୍କୁ ରେଳଧାରଣା ପାର ହେବାରୁ ରୋକିବା ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ ଆରପିଏଫ୍ କର୍ମଚାରୀ ଜଗି ରହୁଥିଲେ ମଧ୍ୟ କିଛି ଲୋକ ସେମାନଙ୍କ ସମ୍ମୁଖରେ ରେଳଧାରଣା ପାର ହେଉଥିବା ଦେଖାଯାଉଛି। ଦୀର୍ଘ ରାସ୍ତା ଓ ଟ୍ରାଫିକ୍ ଜାମ୍ର ଯନ୍ତ୍ରଣା ଲୋକଙ୍କୁ ଏଭଳି ନିୟମବହିର୍ଭୂତ ଓ ବିପଦପୂର୍ଣ୍ଣ ଯାତାୟାତ ଆଡ଼କୁ ଠେଲି ଦେଉଥିବା ସ୍ଥାନୀୟବାସିନ୍ଦାମାନେ କହିଛନ୍ତି।
ଅନ୍ୟପକ୍ଷରେ, ଅଙ୍ଗାରଗଡ଼ିଆ ରେଳ ଓଭରବ୍ରିଜ୍ର ଅଧାପନ୍ତରିଆ ଅବସ୍ଥା ମଧ୍ୟ ଲୋକଙ୍କ ଯାତାୟାତ ଯନ୍ତ୍ରଣାକୁ ବଢ଼ାଇଛି। ୨୦୧୮ରୁ ଏହି ଓଭରବ୍ରିଜ୍ର ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଠ ବର୍ଷ ପରେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ମାଣାଧୀନ ବ୍ରିଜ୍ ତଳେ ଖାଲଖମା ରାସ୍ତା ଦେଇ ଲୋକେ ବିପଦକୁ ବରଣ କରି ଯାତାୟାତ କରୁଛନ୍ତି। ଏଭଳି ସ୍ଥିତିରେ ତାମୁଳିଆ ବ୍ରିଜ୍ର ମରାମତି କାମ ଯଥାଶୀଘ୍ର ଶେଷ କରି ଯାତାୟାତ ସ୍ୱାଭାବିକ କରିବା ସହ ଆଳୁପୁର ରେଳଧାରଣାରେ ବିପଦପୂର୍ଣ୍ଣ ଯାତାୟାତ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।
ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ସୁରକ୍ଷିତ ରେଳପଥ ପାରେଇବା ବ୍ୟବସ୍ଥା କିମ୍ବା ଅଣ୍ଡରପାସ୍ ଭଳି ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ ସ୍ଥାନୀୟମାନେ ଦାବି କରିଛନ୍ତି।
ତାମୁଳିଆ ବ୍ରିଜ୍ ବନ୍ଦ ଯୋଗୁଁ ସୃଷ୍ଟି ହୋଇଥିବା ଯାତାୟାତ ସମସ୍ୟା ଏବେ ଜନସୁରକ୍ଷା ପ୍ରସଙ୍ଗରେ ପରିଣତ ହୋଇଛି। ତେଣୁ ଆଳୁପୁର ରେଳଧାରଣାରେ କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ପ୍ରଭାବୀ ପଦକ୍ଷେପ ନେବା ଜରୁରୀ ବୋଲି ସ୍ଥାନୀୟମାନେ ମତ ଦେଇଛନ୍ତି।