ତିନି ରଥର ସାରମର୍ମ

ଅମରନାଥ ବାରିକ୍

0

ତିନି ରଥର ସାରମର୍ମ
ଅମରନାଥ ବାରିକ୍

ନନ୍ଦିଘୋଷ ରଥ(ଗରୁଡ଼ଧ୍ୱଜ)

ଜଗତ ସାଆନ୍ତ କାଳିଆ ସୁନାର
ଅଟେ ନନ୍ଦିଘୋଷ ରଥ
ତା’ର ଧ୍ୱଜ ନାମ ତ୍ରୈଲୋକ୍ୟ ମୋହିନୀ
ନିଜେ ନିଜ ସ୍ରଷ୍ଟା ନାଥ ।

ଚୌରାଳିଶ ଫୁଟ ଦୁଇ ଇଞ୍ଚି ହୋଇ
ରଥ ଯେ ନିର୍ମାଣ ହୁଏ
ଚକ ଷୋଳଗୋଟି ସଗଡ଼ ପରିକା
ଚାରିପଟେ ଲାଗିଥାଏ ।

ଆଠଶହ ବତୀଶ କାଠ ଗଣି ଗଣି
ଗଢ଼ା ହୁଏ ଦିନ ରାତି
ଦୂରଦର୍ଶନ ରେ ପ୍ରସାରଣ ହୁଏ
ଓଡିଶା କଳା ସଂସ୍କୃତି ।

ରକ୍ଷକ ତାହାର ଗରୁଡ଼ ଅଟଇ
ସାରଥୀ ତାର ମାତଳୀ
ଯାଉଥାଏ ଯେବେ ବଡ଼ ଦାଣ୍ଡେ ଝୁଲି
ବାଜେ ଘଣ୍ଟ ହୁଳହୁଳି

ରଥ ଦଉଡି ର ନାମ ଶଙ୍ଖ ଚୁଡ
ଭକତ ଜୀବନ ଧନ
ନାଲି ହଳଦିଆ ରଥ ରଙ୍ଗ ତାର
ଯଶୋଦା କୁଳ ନନ୍ଦନ ।

ଚାରିଗୋଟି ଘୋଡା ଧଳା ରଙ୍ଗ ଭରା
ଆଗରେ ତା ହଲୁଥାଇ
ଲକ୍ଷ୍ମୀ ଠାକୁରାଣୀ ଭାଳନ୍ତି ଯାଅ ନା
ଗଉଡ଼ ପୁଅ କହ୍ନାଇ ।

ତାଳଧ୍ୱଜ ରଥ(ଲଙ୍ଗଳଧ୍ୱଜ)

ତାଳଧ୍ଵଜ ରଥ ବଳଭଦ୍ରଙ୍କର
ଦେଖିବାକୁ କି ସୁନ୍ଦର
ବଡ଼ ଭାଇ ସେଠି ବିଜେ କରିଥାନ୍ତି
ଗଳାରେ ଗଜରା ହାର ।

ଗହଳି ଲାଗିଛି ବଡ଼ ଦାଣ୍ଡ ସାରା
ବାସୁଦେବ ଯେ ରକ୍ଷକ
ଟାଣନ୍ତି ଭକତ ଆନନ୍ଦ ମନରେ
ସାରଥୀ ଅଟେ ଦାରୁକ ।

ତେଇଆଳିଶ ଫୁଟ ତିନି ଇଞ୍ଚ୍ ର
ଉଚ୍ଚତା ଅଟେ ଏ ରଥ
ଘୁଉଁ ଘୁଉଁ କରି ଯାଉଥିବା ବେଳେ
କମ୍ପେ ନୀଳାଚଳ ପଥ ।

ତାଳଧ୍ଵଜ ପରେ ଲାଗିଥାଏ ଯେଉଁ
ବାନାଟିର ନାମ ଉନ୍ନାନି
ଗଢ଼ିଛି ବିନ୍ଧାଣି ରଙ୍ଗ ମନ ଜାଣି
ନାଲିଆ ସବୁଜ ବନାନି ।

କରି ଗୋଲାକାର ଲଗାଇ ଅରଖ
ଚକ ଲାଗିଥାଏ ଚଉଦଟି
କାନ୍ତ କୋମନୀୟ ନିରୀହ ସରଳ
କଳାରଙ୍ଗ ଘୋଡା ଚାରୋଟି ।

ଥାନ୍ତି ପଣ୍ଡା ପୁଅ ଡାହୁକ ଘଣ୍ଟିଆ
ରଥର ଦଉଡି ବାସୁକି
ସାତଶହ ତ୍ରେଷଠି ଖଣ୍ଡ ର କାଠ
ସମ୍ପୂର୍ଣ୍ଣ ଦିଅଇ ଖଞ୍ଜିକି ।

ସୋରିଷ ବିଞ୍ଚିଲେ ତଳେ ପଡିବ ନି
ସାରଥୀ ଅଟଇ ଦାରୁକ
ଘଞ୍ଚ ମୟ ବେଢ଼ି ଥାନ୍ତି ଚତ୍ରୁପାର୍ଶ୍ୱ
ଢଗ ଢ଼ମାଳିଆ ଗାୟକ ।

ଦର୍ପଦଳନ ରଥ(ଦେବଦଳନ)

ଦର୍ପଦଳନ ଟି ଅତି ମନୋରମ
ଭଉଣୀ ସୁଭଦ୍ରାଙ୍କ ର
ଗେଲ୍ଲୀ ସୁନାମୁହିଁ ହଳଦୀ ମାଖିଛି
ହସ ନାଲି ଓଠେ ତା’ର ।

ଆଖି ଯାଏ ଲାଖି ଦେଖିଲେ ଏହାକୁ
ରଥ ରଙ୍ଗ କଳା ନାଲି
ଝଲସି ଉଠନ୍ତି ସମ୍ମୁଖ ରେ ରହି
ଘୋଡା ବି ଚାରୋଟି ନାଲି ।

କରନ୍ତି ଚାଳନା ହେଲେ ଆନମନା
ଦେବ ଅର୍ଜୁନ ସାରଥୀ
ସୁଭଦ୍ରା ମାଆର ଯାତ ଦେଖିବାକୁ
ଚାଲ ବେଗୀ ଯିବା ସାଥି ।

ଶୁଭ ହୁଏ ଥରେ ଛୁଇଁଲେ ତାହାକୁ
ସ୍ଵର୍ଣ ଚୁଡ ର ଦଉଡି
ବଇଆଳିଶ ଫୁଟ ତିନି ଇଞ୍ଚି ର
ଚାଲ ନେବା ତାକୁ ଭିଡି ।

ଅଖ ଲାଗିଥିବା ବାର ଗୋଟି ଚକ
ଜୟ ମା ଦୁର୍ଗା ରକ୍ଷକ
ଆ ଲୋ ସଙ୍ଗିନୀ ସାଙ୍ଗ ହୋଇ ଯିବା
ଦେଖିବା ପାଇଁ କ୍ଷଣିକ ।

ପାଞ୍ଚଶହ ତେୟାନବେ ଖଣ୍ଡ କାଠ
ଅଗ୍ରେ ନାଦମ୍ବିକା ଧ୍ୱଜ
ମନ୍ଦିରକୁ ଛାଡି ଆସିବେ ବାହାରି
ରଥ ହୁଏ ସଜ ବାଜ ।

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ

Leave A Reply

Your email address will not be published.