ଗଜପତି,୨୭.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଵିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆଜି ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବାତ୍ୟାକୁ ନେଇ ଅବଗତ କରାଇଥିଲେ। ଜିଲ୍ଲା ନୋଡାଲ ଅଧିକାରୀ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ଦାଶ ଉପସ୍ଥିତ ଥିଲେ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା କାଲି ୨୮ ଓ ୨୯ ତାରିଖରେ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପ୍ରଭାବ, ଝଡ଼ତୋଫାନ, ଭୂସ୍ଖଳନ ପ୍ରବଣ ଅଞ୍ଚଳର ସ୍ଥିତି, ଜଳ ନିଷ୍କାସନ ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସହ ଜରୁରୀକାଳୀନ ସେବାର ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ଜିଲ୍ଲା, ବ୍ଲକ୍ ଓ ତହସିଲ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବା ସହ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ତୁରନ୍ତ ମୁତୟନ ପାଇଁ ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା।ଜିଲ୍ଲାର ସାତଟି ବ୍ଲକ୍ରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ୨୪ ଘଣ୍ଟିଆ ବିଦ୍ୟୁତ୍ ଓ ଜେନେରେଟର ବ୍ୟବସ୍ଥା, ପାନୀୟ ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ଭୂସ୍ଖଳନ ପ୍ରବଣ ଅଞ୍ଚଳ, ପାହାଡ଼ ତଳେ ରହୁଥିବା ପରିବାର, ତଳିଆ ଅଞ୍ଚଳ ଏବଂ ଦୁର୍ବଳ କିମ୍ବା କଚ୍ଚା ଘରେ ବସବାସ କରୁଥିବା ଲୋକଙ୍କୁ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ସେହିପରି ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୨୮୧ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରେ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଥଇଥାନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିସହ ଜିଲ୍ଲାର ୨୧୦ ଜଣ ଗର୍ଭବତୀ ମହିଳାଙ୍କୁ ଆବଶ୍ୟକତା ଅନୁଯାୟୀ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ମା’ ଗୃହକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚୁଡ଼ା, ଗୁଡ଼, ଚିନି, ମହମବତୀ, କିରୋସିନ, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯଥେଷ୍ଟ ପରିମାଣରେ ଗଚ୍ଛିତ ରଖିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଥିଲା। ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଏକ ଟିମ୍ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ପ୍ରବଳ ବର୍ଷା ସମୟରେ ଜନସାଧାରଣ ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବା ଏବଂ ନଦୀ, ନାଳ ଓ ଅନ୍ୟାନ୍ୟ ଜଳାଶୟ ନିକଟକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଏଥିସହ ବ୍ଲକ୍, ଗ୍ରାମପଞ୍ଚାୟତ ଓ ଗ୍ରାମସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଥିଲା। କୌଣସି ବ୍ୟକ୍ତିଙ୍କ ଧନ, ଜୀବନ ଓ ସମ୍ପତ୍ତିର କୌଣସି କ୍ଷତି ନ ହୁଏ। ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ କୌଣସି ଅଘଟଣ ଘଟିବାର ଆଶଙ୍କା ଥିଲେ ତୁରନ୍ତ ଉପଯୁକ୍ତ ଜିଲ୍ଲା ପ୍ରଶାସନର ସହାୟତା ନିଅନ୍ତୁ। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ବୈଠକରେ ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ.ନାଗରାଜୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଓ ଶ୍ରୀ ମୁନିନ୍ଦ୍ର ହନାଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ସୁଶ୍ରୀ ଭାଗବତ ସାମଲ କଲ୍ୟାଣରାଓ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଅଂଶୁମାନ ମହାପାତ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ବିନାୟକ ରାଉଳଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଆଭାସୀ ବୈଠକରେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.