ଗଜପତି,୩୦.୮(ମନୋଜ ପାଢ଼ୀ)-:ପାରଳାଖେମୁଣ୍ଡି ସହରରେ ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ପାରମ୍ପରିକ ଗହ୍ମାଡିଆଁ ଖେଳର ଅନନ୍ୟ ପରମ୍ପରା ପାଳିତ ହୋଇଥାଏ। ଏହି ପୁରାତନ ଲୋକପରମ୍ପରାକୁ କେନ୍ଦ୍ର କରି ସହରରେ ପରିବେଶ ଉତ୍ସବମୁଖର ହୋଇଥାଏ।ବିଶେଷକରି ଯୁବବର୍ଗ ଏହି ପାରମ୍ପରିକ ଖେଳରେ ବେଶ୍ ଉତ୍ସାହର ସହ ଭାଗ ନେଇ ନିଜର କ୍ରୀଡୂ କୌଶଳ ପ୍ରଦର୍ଶନ କରିଥାନ୍ତି।ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ପ୍ରତିଭାଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ଭଳି ସହରର ବିଭିନ୍ନ ସ୍ଥାନ ଯଥା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଗୁଣ୍ଡିଚା ମନ୍ଦିର ଓ ପାରଳା ସାହି ଛକରେ ଗହ୍ମାଡିଆଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଯୁବ ବର୍ଗ ଭାଗ ନେଇ ଆକର୍ଷଣୀୟ ପୁରସ୍କାର ପାଇଥିଲେ।ଉଗ୍ର ଆଧୁନିକତାର ଏହି ଯୁଗରେ ମଧ୍ୟ ପାରଳାଖେମୁଣ୍ଡିର ଏହି ଅନନ୍ୟ ଲୋକପରମ୍ପରା ନୂତନ ପିଢ଼ିଙ୍କୁ ନିଜ ସଂସ୍କୃତି ଓ ଐତିହ୍ୟ ସହିତ ଯୋଡ଼ି ରଖିଛି।ଗହ୍ମାପୂର୍ଣ୍ଣିମାର ଏହି ଗହ୍ମାଡିଆଁ ପରମ୍ପରା ସ୍ଥାନୀୟ ଜନଜୀବନରେ ଉତ୍ସାହ ଓ ଆନନ୍ଦର ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।