ଗଜପତି,୩୦.୮(ମନୋଜ ପାଢୀ):-ଗଜପତି ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।ସଙ୍ଗଠନ ସମ୍ପାଦକ ଶ୍ରୀ ବିନୋଦ ବିହାରି ପଣ୍ଡାଙ୍କ ନେତୃତ୍ୱରେ ଯୁଗ୍ମ ସମ୍ପାଦକ ଶ୍ରୀ ଲବ ଜେନା ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁରେନ୍ଦ୍ରନାଥ ରଥ, ଶ୍ରୀ ସୁରେନ୍ଦ୍ରନାଥ ପାଢୀ, ଶ୍ରୀ ସୂର୍ଯ୍ୟକାନ୍ତ ପଟ୍ଟନାୟକ, ଶ୍ରୀ ପଦ୍ମନ କୁମାର ପାଢୀ, ଶ୍ରୀ ରାଜେନ୍ଦ୍ର କୁମାର ପଢିଆରୀ ପ୍ରମୁଖ ବିଧାୟକଙ୍କୁ ଭେଟି ମଞ୍ଚ ତରଫରୁ କେତେକ ସମସ୍ୟା ସମ୍ପର୍କିତ ଦାବି ପତ୍ର ପ୍ରଦାନ କରିଥିଲେ । ପାରଳାଖେମୁଣ୍ଡି ସହରର ଆଦର୍ଶ ପୋଲିସ୍ ଥାନା ନିକଟବର୍ତ୍ତୀ ବ୍ରହ୍ମପୁର- ପାରଳାଖେମୁଣ୍ଡିକୁ ସଂଯୋଗୀକରଣ କରୁଥିବା ରାସ୍ତାର ପୁରୁଣାପାଟଣା ରାସ୍ତାର ବାମ ପାର୍ଶ୍ୱରେ ଥିବା ତ୍ରିକୋଣୀୟ ଛକରେ ଏକ ବିଶ୍ରାମସ୍ଥଳୀ ନିର୍ମାଣ କରାଗଲେ ଯାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ଅନୁରୋଧ ଜଣାଇଥିଲେ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ସେହି ସ୍ଥାନରେ ଯାତ୍ରୀ ବିଶ୍ରାମଗାରଟିଏ ନିର୍ମାଣ କରାଯାଇଥିଲା। କିନ୍ତୁ ରାସ୍ତା ପ୍ରଶସ୍ତୀକରଣ ବେଳେ ତାହା ଭାଙ୍ଗି ଦିଆଯାଇଛି । ବର୍ତ୍ତମାନ ଉକ୍ତ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ଓ ପରିସ୍ରାଗାର ନଥିବାରୁ ଯାତ୍ରୀମାନେ ଖରା ବର୍ଷାରେ ଅସୁବିଧାର ସମ୍ମୁଖୀନ ହେବା ସହିତ ରାସ୍ତା କଡ଼ରେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ବିଶେଷ କରି ମହିଳା ଓ ଛାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ମଞ୍ଚ ତରଫରୁ ଏହାର ଆନୁସାଙ୍ଗିକ ବ୍ୟବସ୍ଥା ନିମନ୍ତେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ମଞ୍ଚ ତରଫରୁ ମାନ୍ୟବର ପାରଳା ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀଙ୍କୁ ଉକ୍ତ ବିଷୟରେ ସହଯୋଗ କରିବା ପାଇଁ ଅନୁରୋଧ ଜଣାଇବା ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Comments are closed.