ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାଇକଲ ରାଲି ଆୟୋଜିତ ।

0

ଗଜପତି, 30.8(ମନୋଜ ପାଢୀ) -:ମହାନ ହକି ଖେଳାଳି ତଥା ଭାରତୀୟ କ୍ରୀଡ଼ା ଜଗତର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ଜାତୀୟ କ୍ରୀଡ଼ା ଦିବସର ତୃତୀୟ ତଥା ଶେଷ ଦିବସରେ ଜିଲ୍ଲା ସଦର ମହକୁମା ଠାରେ ଏକ ସାଇକଲ ରାଲି ଆୟୋଜିତ ହୋଇଯାଇଛି। ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ସାଇକଲ ରାଲି ଅନୁଷ୍ଠିତ ହୋଇଥିଲା। ଉକ୍ତ ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଲିକୁ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଭାରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଏବଂ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ରାଲି ପୂର୍ବରୁ ଅତିଥିମାନେ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ କ୍ରୀଡ଼ାର ବିକାଶ, ଶୃଙ୍ଖଳା ଓ ସୁସ୍ଥ ଜୀବନଶୈଳୀ ପ୍ରତି ପ୍ରତିବଦ୍ଧ ରହିବା ନିମନ୍ତେ ଶପଥ ପାଠ କରାଯାଇଥିଲା।
ସାଇକଲ ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ପାଇଁ ସଚେତନତା ସୃଷ୍ଟି କରିବା। ଏହି ରାଲିରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Leave A Reply

Your email address will not be published.