ପତିବ୍ରତା ଅରୁନ୍ଧତୀଙ୍କ କଥା
ପତିବ୍ରତା ଅରୁନ୍ଧତୀଙ୍କ କଥା
===============
ପୁଣ୍ୟ ଭୂମି ଆର୍ଯ୍ୟାବର୍ତ୍ତରେ ଯେଉଁ କେତେ ଜଣ ସତୀ ନାରୀ ଅମର କିର୍ତ୍ତୀ ରଖି ଯାଇଛନ୍ତି ତାଙ୍କ ମଧ୍ୟରେ ସତୀ ଅରୁନ୍ଧତୀ, ଅନ୍ୟତମା। ଧର୍ମନିଷ୍ଠା, ପତିବ୍ରତଧର୍ମ ବଳରେ ସେ ପତି ବଶିଷ୍ଠଙ୍କ ସହିତ ସପ୍ତର୍ଷି ମଣ୍ଡଳରେ ସ୍ଥାନପାଇଛନ୍ତି। ଆସନ୍ତୁ ସେହି ମହନୀୟା ନାରୀଙ୍କ ବିଷୟରେ ଜାଣିବା।
ଅରୁନ୍ଧତୀ ତାଙ୍କ ପୂର୍ବଜନ୍ମରେ ବ୍ରହ୍ମାଙ୍କ ମାନସପୂତ୍ରୀ ସନ୍ଧ୍ୟା ଥିଲେ। ନିଜକୁ ପବିତ୍ର କରିବାପାଇଁ ଘୋର ତପସ୍ୟା କରି ସେ ଶିବଙ୍କଠାରୁ ବରଲାଭ କଲେ । କାଳ କ୍ରମେ ସେ ଋଷି କର୍ଦ୍ଦମ ଏଵଂ ଦେବହୂତିଙ୍କ ଅଷ୍ଟମ କନ୍ୟା ଭାବେ ଜନ୍ମ ହେଲେ।
ସନ୍ଧ୍ୟା ଦିନେ ଚନ୍ଦ୍ରଭାଗା ପର୍ବତ ଉପରେ ଅବସ୍ଥିତ ଏକ ସରୋବର ନିକଟରେ ଖୁବ୍ ଚିନ୍ତାମଗ୍ନ ହୋଇ ବୁଲୁଥାନ୍ତି। ତାଙ୍କୁ ସେଠାରେ ମହର୍ଷି ବଶିଷ୍ଠ ଦେଖି ପଚାରିଲେ, କଲ୍ୟାଣୀ ! ତୁମେ ଏପରି ଚିନ୍ତା ମଗ୍ନ କାହିଁକି ? ସେ ତାଙ୍କୁ ପ୍ରଣିପାତ କରି କହିଲେ, ମୁଁ ତପସ୍ୟା କରିବାକୁ ଚାହୁଁଛି । ସେଥି ପାଇଁ ମୁଁ ଖୁବ୍ ଚିନ୍ତିତ। ତାଙ୍କର ତପ ଇଛାକୁ ପୂର୍ଣ୍ଣ କରିବା ପାଇଁ ବଶିଷ୍ଠ ତାଙ୍କୁ ତପଶ୍ଚରଣର ସମସ୍ତ ନୀତି, ନିୟମ
ତଥା ମାର୍ଗ ବତାଇ ଦେଲେ । ବଶିଷ୍ଠ ତାଙ୍କୁ ଧର୍ମ, ଅର୍ଥ,କାମ ଏବଂ ମୋକ୍ଷ ପ୍ରାପ୍ତି ନିମନ୍ତେ ଭଗବାନ ବିଷ୍ଣୁଙ୍କ ଧ୍ୟାନ କର ବୋଲି କହିଲେ। ପୁନଶ୍ଚ ତାଙ୍କୁ ସେ ଶଙ୍ଖଚକ୍ର ଗଦାପଦ୍ମ ଚତୁର୍ଭୁଜ ସ୍ୱରୂପକୁ ଧ୍ୟାନ କରି “ଓଁ ନମୋ ଭଗବତେ ବାସୁଦେବାୟ” ମନ୍ତ୍ର ଜପ କରିବାକୁ ଉପଦେଶ ଦେଲେ । ବଶିଷ୍ଠ ପୁଣି କହିଲେ, ତୁମେ ପ୍ରଥମ ଛଅଦିନ ଭୋଜନ ବର୍ଜନ କରି ଓ ପର ତିନିଦିନ ନିର୍ଜଳା ଉପବାସରେ ତପ ଆଚରଣ କରିବ।
ଏହାପରେ ଦେବୀ ସନ୍ଧ୍ୟା କଠୋର ତପସ୍ୟାରେ ନିମଗ୍ନ ହୋଇ ଚାରିଯୁଗପର୍ଯ୍ୟନ୍ତ ତପସ୍ୟା କଲେ। ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦିନେ ଚତୁର୍ଭୁଜ ଭଗବାନଵିଷ୍ଣୁ ତାଙ୍କୁ ଦର୍ଶନଦେଲେ ଓ ତାଙ୍କୁ ବର ମାଗିବାକୁ କହିଲେ। ସେ ବିଷ୍ଣୁଙ୍କୁ ତିନିଗୋଟି ବର ପ୍ରାର୍ଥନା କଲେ।
ପ୍ରଥମ ବର -ପ୍ରାଣୀର ଜନ୍ମ ସହ କାମର ବିକାର ଉଦୟ ନ ହେଉ । ତାହାର ଏକ ନିର୍ଦ୍ଦିଷ୍ଟ ବୟସ ସୀମା ରହୁ ।
ଦ୍ୱିତୀୟ ବର – ମୋ’ର ପାତିବ୍ରତ୍ୟ ଧର୍ମ ସର୍ବଦା ଅଖଣ୍ଡ ରହିବ।
ତୃତୀୟବର – ଭଗବାନରୂପୀ ମୋ ପତିଙ୍କ ବିନା ମୋର ଦୃଷ୍ଟି ଆଉ କେଉଁଠି ନରହୁ । ଯଦି କେହି ମୋତେ କାମ ଦୃଷ୍ଟିରେ ଦେଖିବେ, ସେ ଅଚିରେ ନପୁଂସକ ହୋଇ ଯିବେ। ବିଷ୍ଣୁ ଏବମଅସ୍ତୁ କହି ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ।
ଆଉ ଦିନେ ଭଗବାନ ବିଷ୍ଣୁ ସନ୍ଧ୍ୟାଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ, କହିଲେ, ତୁମ୍ଭେ ଯାହା ପ୍ରତିଜ୍ଞା କରିଥିଲ, ଏବେ ସେହି ପ୍ରତିଜ୍ଞା ପୁରଣ କରିବାର ବେଳ ଆସିଛି । ଚନ୍ଦ୍ରଭାଗା ନଦୀ ତୀରରେ ଋଷି ମେଘାତିଥି ବାର ବର୍ଷ ଧରି ଏକ ଯଜ୍ଞ କରୁଛନ୍ତି ।ତୁମ୍ଭେ ଯାଇ ସେହି ଯଜ୍ଞକୁଣ୍ଡରେ ପ୍ରାଣତ୍ୟାଗକର। ବିଷ୍ଣୁଙ୍କ କଥାରେ ସନ୍ଧ୍ୟା ଯାଇ ମେଘାତିଥିଙ୍କ ଯଜ୍ଞ କୁଣ୍ଡରେ ଝାସ ଦେଲେ। ବିଷ୍ଣୁଙ୍କ ନିର୍ଦ୍ଦେଶରେ ଅଗ୍ନି ଦେବ ସତୀ ସନ୍ଧ୍ୟାଙ୍କ ଶରୀରକୁ ଦଗ୍ଧକରି ସୂର୍ଯ୍ୟ ମଣ୍ଡଳରେ ପ୍ରଵିଷ୍ଟ କଲେ। ବିଷ୍ଣୁ ସନ୍ଧ୍ୟାଙ୍କ ପ୍ରାଣକୁ ଦିବ୍ୟ ଶରୀର ଏବଂ ଅନ୍ତଃକରଣକୁ ଶରୀର କରି ମୁନି ମେଘାତିଥିଙ୍କ ଯଜ୍ଞ ଅଗ୍ନିରେ ସ୍ଥାପନ କଲେ। ସେଥିରୁ ଏକ ଦିବ୍ୟ ସୁନ୍ଦରୀ କନ୍ୟାର ଆବିର୍ଭାବ ଘଟିଲା। ମୁନି ମେଘାତିଥି ସେହି କନ୍ୟାକୁ ନିଜର ପୁତ୍ରୀ ଭାବେ ଗ୍ରହଣ କଲେ ଏବଂ କନ୍ୟାର ନାମ ରଖିଲେ ଅରୁନ୍ଧତୀ ।
କ୍ରମେ ଅରୁନ୍ଧତୀ ବଡ଼ ହେଲେ। ଋଷି ମେଘାତିଥି ବ୍ରହ୍ମାଙ୍କ ଆଦେଶରେ ପୁତ୍ରୀର ଶିକ୍ଷା ପାଇଁ, ସତୀ ସାବିତ୍ରୀ ଓ ବେହୁଲାଙ୍କୁ ଅନୁରୋଧ କଲେ। ଏଣୁ ତାଙ୍କ ନିକଟରେ ଅରୁନ୍ଧତୀ ଶିକ୍ଷା ଗ୍ରହଣ କଲେ।
ସେହିଠାରେ ଦିନେ ଅରୁନ୍ଧତୀଙ୍କ ସାକ୍ଷାତ ମହର୍ଷି ବଶିଷ୍ଠଙ୍କ ସହିତ ହେଲା। ସେ ତାଙ୍କୁ ମନେମନେ ପତିରୂପେ ବରଣ କଲେ । ଏହା ମାତା ସାବିତ୍ରୀ ମେଘାତିଥିଙ୍କୁ ଜଣାଇବାରୁ, ଅରୁନ୍ଧତୀଙ୍କ ବିବାହ ମହର୍ଷି ବଶିଷ୍ଠଙ୍କ ସହିତ ହେଲା । ତାଙ୍କ ବିବାହ ସମୟରେ ବ୍ରହ୍ମା, ବିଷ୍ଣୁ ଓ ଅନ୍ୟ ଦେବତାମାନେ ସ୍ନାନ କଲା ବେଳେ ଯେଉଁ ଜଳଧାରା ବହି ଗଲା ତାହା, ସରଜୁ, ଗୋମତୀ, ସିପ୍ରା, ପ୍ରଭୃତି ସାତଟି ନଦୀରେ ପରିଣତ ହେଲେ।
ବିବାହ ପରେ ଅରୁନ୍ଧତୀ ପତିଙ୍କ ସେବାକୁହିଁ ନିଜ ଜୀବନର ପରମବ୍ରତ ଭାବେ ଗ୍ରହଣ କରିଥିଲେ। ଅରୁନ୍ଧତୀ ଆଶ୍ରମରେ ସମସ୍ତ କାର୍ଯ୍ୟ ନିଜେ କରୁ ଥିଲେ ଓ ଆଗନ୍ତୁକ ସମସ୍ତ ଅତିଥି ଓ ମୁନିଋଷିଙ୍କ ଚର୍ଚ୍ଚା ସୂଚାରୁରୂପେ ତୁଲାଉ ଥିଲେ। ତାଙ୍କ ନମ୍ରତା ଧର୍ମନିଷ୍ଠା, ପତିବ୍ରତା, ମହର୍ଷି ବଶିଷ୍ଠଙ୍କୁ ମୁଗ୍ଧ କରୁ ଥିଲା। ସେମାନଙ୍କ ଜୀବନ ଏକ ଆଦର୍ଶ ଦାମ୍ପତ୍ୟ ଜୀବନର ଉଦାହରଣ।
ଯେତେ ବେଳେ ଋଷି ବିଶ୍ୱାମିତ୍ର ଏବଂ ବଶିଷ୍ଠଙ୍କ ମଧ୍ୟରେ ଦୀର୍ଘ କାଳ ଧରି ସଂଘର୍ଷ ଲାଗି ରହିଲା, ସେତେବେଳେ ଅରୁନ୍ଧତୀ ବଶିଷ୍ଠଙ୍କୁ ଧୈର୍ଯ୍ୟହରା ନହେବାକୁ ସମସ୍ତପ୍ରକାର ପ୍ରେରଣା ଦେଉଥିଲେ। ସେ ନିଜ ତପ, ସେବା ଓ ନିଷ୍ଠା ଦ୍ୱାରା ଆଶ୍ରମର ସମସ୍ତ କାର୍ଯ୍ୟ ତୁଲାଇ ନେଉଥିଲେ। ଏହା ଦ୍ୱାରା ତାଙ୍କ ସମ୍ମାନ ବହୁଗୁଣିତ ହୋଇଯାଇ ଥିଲା।
ସ୍କନ୍ଦପୁରାଣରେ ଅରୁନ୍ଧତୀଙ୍କ ସମ୍ବନ୍ଧରେ ଗୋଟିଏ ସୁନ୍ଦର କାହଣୀ ଅଛି। ସେହି କାହାଣୀ ଅନୁଯାୟୀ ଥରେ ପୃଥିବୀରେ ଘୋର ଅକାଳ ପଡ଼ିଲା । ଭିକ୍ଷା ନପାଇ, କ୍ଷୁଧାର୍ତ୍ତ ମୁନି ଋଷି ମାନେ ବିକଳ ହୋଇ ଯାଇ ଜଣେ ଚାଣ୍ଡାଳ ପାଖରେ ପହଞ୍ଚିଲେ ଯିଏକି ନିଜ ଘରେ କିଛି ଖାଦ୍ୟ ଶସ୍ୟ ସାଇତି ରଖିଥିଲା। ଏକ ଚଣ୍ଡାଳ ଘରୁ ମୁନିଋଷି ମାନେ କିପରି ଖାଦ୍ୟ ଗ୍ରହଣ କରିବେ। କିନ୍ତୁ କ୍ଷୁଧା ଜ୍ୱାଳାରେ ସେମାନେ ଆଉ କିଛି ବାଛ ବିଚାର ନ କରି ଚଣ୍ଡାଳର ଘରେ ଭୋଜନପ୍ରାର୍ଥୀ ହେଲେ। ଚଣ୍ଡାଳ ମୁନିଋଷିମାନଙ୍କୁ ଭୋଜନ ଦେବାପାଇଁ ଗୋଟିଏ ସର୍ତ୍ତ ରଖି କହିଲା, ମୁଁ ଆପଣ ମାନଙ୍କୁ ଖାଦ୍ୟ ଦେବି। କିନ୍ତୁ ଆପଣଙ୍କ ଭିତରୁ ଯିଏ ଶ୍ରେଷ୍ଠ, ସିଏ ମୋ’ ଝିଅ ଅକ୍ଷମାଳାକୁ ବିବାହ କରିବ। ମୁନିମାନଙ୍କ ପାଖରେ ଆଉ କିଛି ଉପାୟ ନ ଥିଲା। ସେମାନେ ନିଜ ଭିତରେ କଥା ବାର୍ତ୍ତା ହୋଇ, ବଶିଷ୍ଠଙ୍କୁ ଚଣ୍ଡାଳ କନ୍ୟାକୁ ବିବାହ କରିବାକୁ ରାଜି କରାଇଲେ । ବଶିଷ୍ଠଙ୍କ ସାଙ୍ଗରେ ଅକ୍ଷମାଳାଙ୍କ ବିବାହ ହୋଇଗଲା। ଜଣେ ଚଣ୍ଡାଳ କନ୍ୟା ହୋଇ ମଧ୍ୟ, ଅକ୍ଷମାଳା ଥିଲେ, ତପଶିଦ୍ଧା। ଅକ୍ଷମାଳା ନିଜର ତପୋବଳରେ ସୂର୍ଯ୍ୟଙ୍କ ଗତିକୁ ମଧ୍ୟ ରୋକି ବା ରୁନ୍ଧି ଦେଇ ପାରୁ ଥିଲେ । ତେଣୁ ସେ ପରିଚିତ ହେଲେ ଅରୁନ୍ଧତୀ ନାମରେ।
ଆଦର୍ଶ ଗୃହସ୍ଥଜୀବନ ମଧ୍ୟ ଏକ ମହାନତପସ୍ୟା। ଏହି କାରଣରୁ ଭାରତୀୟ ସଂସ୍କୃତିରେ ଅତି ଶ୍ରଦ୍ଧା ଓ ସମ୍ମାନର ସହିତ ଅରୁନ୍ଧତୀଙ୍କ ନାମ ଉଚ୍ଚାରଣ କରାଯାଇ ଥାଏ। ଅରୁନ୍ଧତୀଙ୍କୁ ପତିବ୍ରତା ନାରୀର ସର୍ବୋଚ୍ଚ ଆଦର୍ଶ ବୋଲି ମାନ୍ୟ କରାଯାଏ। ସତୀ ଅରୁନ୍ଧତୀ ପତିବ୍ରତାବ୍ରତର ମହାନ ଆଦର୍ଶ ରୂପେ ସ୍ୱାମୀ ବଶିଷ୍ଠଙ୍କ ସହିତ ସପ୍ତର୍ଷି ନକ୍ଷତ୍ର ମଣ୍ଡଳରେ ସ୍ଥାନପାଇଛନ୍ତି। ହିନ୍ଦୁ ପରମ୍ପରାରେ ସୁଖି ଦାମ୍ପତ୍ୟ ଜୀବନ ପାଇଁ ନବ ବିବାହିତଙ୍କୁ ବିବାହ କାଳରେ ସପ୍ତର୍ଷି ମଣ୍ଡଳର ବଶିଷ୍ଠ ଅରୁନ୍ଧତୀ ନକ୍ଷତ୍ର ଦର୍ଶନ କରାଇବାର ପ୍ରଥା ରହିଛି।
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971