ଉଚ୍ଛେଦ ହେଲା ବୃତ୍ତି କର

ବାର୍ଷିକ ୩୨୦ କୋଟି କ୍ଷତି ସହିବେ ସରକାର

ଭୁବନେଶ୍ବର : କର୍ମଜୀବୀଙ୍କ ପାଇଁ ଏକ ବଡ଼ ସହାୟତା ସଦୃଶ ରାଜ୍ୟ ସରକାର ବୃତ୍ତି କର (ପ୍ରଫେସନାଲ ଟ୍ୟାକ୍ସ) ଉଚ୍ଛେଦ କରିଛନ୍ତି। ଚଳିତ ମାସରୁ କର୍ମଚାରୀମାନଙ୍କଠାରୁ ଆଉ ବୃତ୍ତି କର ସଂଗ୍ରହ କରାଯିବ ନାହିଁ। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ କର୍ମଚାରୀମାନଙ୍କ ଦରମାରୁ ବୃତ୍ତି କର ନ କାଟିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ପତ୍ର ଲେଖି କୁହାଯାଇଛି। ଅନୁରୂପ ଭାବେ ସମସ୍ତ ଘରୋଇ କର୍ମଚାରୀମାନଙ୍କ କ୍ଷେତ୍ରରେ ମଧ୍ୟ ଚଳିତ ମାସ ୧ରୁ ଏହି ନିୟମ ଲାଗୁ ହେବ। ଚଳିତ ଆର୍ଥିକ ବର୍ଷରୁ ବୃତ୍ତି କର ବନ୍ଦ ହେବା ନେଇ ଗତ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଘୋଷଣା କରି କହିଥିଲେ ଯେ, ପ୍ରାକ୍ ବଜେଟ ଆଲୋଚନା ବେଳେ ଲୋକଙ୍କ ପକ୍ଷରୁ ବୃତ୍ତି କର ଉଚ୍ଛେଦ ପାଇଁ ପ୍ରସ୍ତାବ ଆସିଥିଲା। କର୍ମଜୀବୀମାନେ ସରକାରଙ୍କୁ ଆୟକର ଦେଉଥିବା ବେଳେ ବୃତ୍ତିଗତ କର ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ାଉ ଥିଲା। ତେଣୁ ଏହାକୁ ବିଚାର କରି ସରକାର ବୃତ୍ତିଗତ କର ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବୃତ୍ତି କର ସଂଗ୍ରହ ନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ଫଳରେ ରାଜ୍ୟ ରାଜକୋଷ ଉପରେ ବାର୍ଷିକ ୩୨୦ କୋଟି ଟଙ୍କାର କ୍ଷତି ପଡ଼ିବ। ସରକାରୀ ଓ ବେସରକାରୀ ବେତନଭୋଗୀ, ବ୍ୟବସାୟୀ, ଡାକ୍ତର, ଆଇନଜୀବୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ପୋଷ୍ଟାଲ/ବୀମା ଏଜେଣ୍ଟ, ବ୍ରୋକର, ଆର୍କିଟେକ୍ଟ, ମ୍ୟାନେଜମେଣ୍ଟ କନସଲଟାଣ୍ଟଙ୍କ ଭଳି ବୃତ୍ତିଧାରୀଙ୍କଠାରୁ ସରକାର ଏହି କର ଆଦାୟ କରିଥାନ୍ତି। ସାଧାରଣତଃ ଦରମା ହାର ଅନୁସାରେ ବାର୍ଷିକ ସର୍ବନିମ୍ନ ୨୫୦୦ ଟଙ୍କା ବୃତ୍ତିଗତ କର ଭାବେ ଆଦାୟ କରାଯାଏ। ବେତନଭୋଗୀଙ୍କଠାରୁ ଏହା ମାସିକ ଭାବେ ସଂଗ୍ରହ କରାଯାଏ। ବ୍ୟବସାୟୀମାନେ ସିଧାସଳଖ ଟିକସ ପୈଠ କରିଥାନ୍ତି। ମନ୍ତ୍ରୀ, ସାଂସଦ, ବିଧାୟକମାନେ ମଧ୍ୟ ଏହି ଟିକସ ଦେଇଥାନ୍ତି।

Comments are closed.