ଓଡିଶାମହାନଗର ପରିଜା ପାଠାଗାର ପରିଦର୍ଶନ କରି ଐତିହ୍ୟ ଓ ଆଧୁନିକତାରେ ମୁଗ୍ଧ ହେଲେ ବିଧାୟକମାନେ By BB News Network On Jul 22, 2026 0 Share ଭୁବନେଶ୍ୱର, ୨୨ ଜୁଲାଇ(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ଗର୍ବ ପରିଜା ପାଠାଗାରକୁ ମଙ୍ଗଳବାର ଦିନ ପରିଦର୍ଶନରେ ଯାଇଥିବା ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟମାନଙ୍କୁ ସ୍ୱାଗତ କରଛି ବିଶ୍ଵବିଦ୍ୟାଳୟ। କେନ୍ଦ୍ରୀୟ ପାଠାଗାର ପରିଦର୍ଶନ ସମୟରେ ବିଧାୟକମାନେ ଏହାର ଐତିହାସିକ ସଂଗ୍ରହ ସହ ଆଧୁନିକ ସୁବିଧାର ଭୂୟସୀ ପ୍ରଶଂସା କରିଥିଲେ। ପରିଦର୍ଶନ ବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ, କୁଳସଚିବ ଡଃ ସ୍ୱାତୀ ମିଶ୍ର, ଲାଇବ୍ରେରୀ ମୁଖ୍ୟ ଡଃ ଆଶାପୂର୍ଣ୍ଣା ପ୍ରିୟଦର୍ଶିନୀ ନାୟକ ଏବଂ ପ୍ରଫେସର ଭାସ୍ୱତୀ ପଟ୍ଟନାୟକ ଉପସ୍ଥିତ ଥିଲେ। ସେମାନେ ଅତିଥିମାନଙ୍କୁ ପାଠାଗାରର ବିଭିନ୍ନ ବିଭାଗ ବୁଲାଇ ଦେଖାଇଥିଲେ। ରେଫରେନ୍ସ ବିଭାଗ, ପାଣ୍ଡୁଲିପି ବିଭାଗ, ଦୁର୍ଲଭ ପୁସ୍ତକ ସଂଗ୍ରହ, ଗବେଷଣା କ୍ୟୁବିକଲ ସହ ଆରଏଫଆଇଡି ଆଧାରିତ ସର୍କୁଲେସନ, ଇ-ଗ୍ରନ୍ଥାଳୟ, ୱେବ୍-ଓପାକ୍, ଡିଜିଟାଲ୍ ଲାଇବ୍ରେରୀ, ପ୍ଲେଜିଆରିଜମ୍ ଯାଞ୍ଚ ସେବା ଏବଂ ପ୍ରତିଷ୍ଠାନିକ ରିପୋଜିଟୋରି ବିଷୟରେ ବିଧାୟକମାନଙ୍କୁ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଥିଲା। ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ କହିଲେ, ପରିଜା ପାଠାଗାର କେବଳ ପୁସ୍ତକ ରଖିବା ଜାଗା ନୁହେଁ। ଏଠାରେ ଥିବା ଓଡ଼ିଶାର ଦୁର୍ଲଭ ତାଳପତ୍ର ପୋଥି, ପାଣ୍ଡୁଲିପି, ପ୍ରାଚୀନ ମୁଦ୍ରା ଓ ଐତିହାସିକ ଦସ୍ତାବିଜ ହେଉଛି ରାଜ୍ୟର ଅମୂଲ୍ୟ ଐତିହ୍ୟ। ଏହି ସମ୍ପଦର ସଂରକ୍ଷଣ ଓ ଡିଜିଟାଇଜେସନ୍ ବର୍ତମାନ ବିଶ୍ୱବିଦ୍ୟାଳୟର ପ୍ରାଥମିକତା ବୋଲି ସେ କହିଥିଲେ। ତାଳପତ୍ର ପାଣ୍ଡୁଲିପି ବିଭାଗରେ ସଂରକ୍ଷିତ ଦୁର୍ଲଭ ସଂଗ୍ରହକୁ ଦେଖି ମାନ୍ୟବର ସଦସ୍ୟମାନେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ। ଉଚ୍ଚଶିକ୍ଷା, ଗବେଷଣା ଓ ଡିଜିଟାଲ୍ ଶିକ୍ଷା କ୍ଷେତ୍ରେ ପାଠାଗାରର ଆଧୁନିକ ଭିତ୍ତିଭୂମି ଏବଂ ଉପଭୋକ୍ତା-କେନ୍ଦ୍ରିକ ସେବା ପାଇଁ ସେମାନେ ପ୍ରଶଂସା କରିଥିଲେ। ଏହି ପରିଦର୍ଶନ ନୀତି ନିର୍ଦ୍ଧାରକ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ମଧ୍ୟରେ ସମନ୍ୱୟକୁ ଆହୁରି ମଜବୁତ କରିବ ବୋଲି ମତ ପ୍ରକାଶ ପାଇଛି। 0 Share FacebookTwitterGoogle+ReddItWhatsAppPinterestEmail