୨୦୦ ବର୍ଷ ପୁରାତନ ଶ୍ରୀ ରସିକ ରାଜ ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ।

0

ଗଜପତି,୩.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ୱାର୍ଡ ନମ୍ବର-୩ରେ ଅବସ୍ଥିତ ଦୁଇ ଶତାବ୍ଦୀରୁ ଊର୍ଦ୍ଧ୍ୱ ପୁରାତନ ତଥା ଐତିହାସିକ ଗୁରୁତ୍ବ ବହନ କରୁଥିବା ଶ୍ରୀ ଶ୍ରୀ ଶ୍ରୀ ରସିକରାଜ ମହାପ୍ରଭୁ ମନ୍ଦିରର ପୁନରୁଦ୍ଧାର ନିମନ୍ତେ ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଥିବା ଏହି ପୁରାତନ ମନ୍ଦିର ପରିଦର୍ଶନ କରି ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ସ୍ଥିତିର ସମୀକ୍ଷା କରିଛନ୍ତି।ମନ୍ଦିର ପରିଦର୍ଶନ ସମୟରେ ମନ୍ଦିରର ପୁରାତନ ଇତିହାସ, ଧାର୍ମିକ ମହତ୍ତ୍ୱ ଓ ଏହା ସହିତ ଜଡ଼ିତ ଅନେକ ପୁରୁଣା ସ୍ମୃତି ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଯାଇଥିଲା। ଦୁଇ ଶତାବ୍ଦୀରୁ ଉର୍ଦ୍ଧ୍ବ ସମୟ ଧରି ଏହି ମନ୍ଦିର ସ୍ଥାନୀୟ ଲୋକଙ୍କ ଧାର୍ମିକ ଆସ୍ଥା, ପରମ୍ପରା ଓ ଭାବନାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଥିବା ଜାଣି ବିଧାୟକ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ବିଧାୟକ ପାଣିଗ୍ରାହୀ କହିଥିଲେ ଯେ, ଏହା କେବଳ ଏକ ମନ୍ଦିର ନୁହେଁ, ବରଂ ପାରଳାଖେମୁଣ୍ଡିର ପୁରାତନ ଐତିହ୍ୟ ଓ ଲୋକଙ୍କ ଆସ୍ଥାର ପ୍ରତୀକ। ତେଣୁ ଏହି ଐତିହ୍ୟକୁ ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ।ଏଥି ସହିତ ମନ୍ଦିର ପରିସରରେ ଥିବା ଲାଇବ୍ରେରୀର ମଧ୍ୟ ଉନ୍ନତିକରଣ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏହା ଫଳରେ ମନ୍ଦିରର ଧାର୍ମିକ ପରିବେଶ ସହିତ ଜ୍ଞାନ ଓ ଐତିହ୍ୟର ସଂରକ୍ଷଣ ମଧ୍ୟ ସମ୍ଭବ ହେବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି। ସେହିପରି ମା’ ଫୁଲସୁନ୍ଦରୀ ମନ୍ଦିର ଗସ୍ତ କରି ମା’ଙ୍କ ଦର୍ଶନ କରିବା ସହ ମନ୍ଦିରର ବର୍ତ୍ତମାନ ସ୍ଥିତି ଓ ଅଧାରେ ରହିଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।ମନ୍ଦିରର ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଆବଶ୍ୟକ ବନ୍ଦୋବସ୍ତ କରାଯିବ ବୋଲି ବିଧାୟକ ଆଶ୍ୱାସନା ଦେଇଥିଲେ। ବିଧାୟକଙ୍କର ପରିଦର୍ଶନ ପରେ ରସିକରାଜ ମହାପ୍ରଭୁଙ୍କ ମନ୍ଦିର ପୁଣିଥରେ ତାହାର ପୁରୁଣା ଗୌରବ ଫେରିପାଇବ ବୋଲି ଜନସାଧାରଣଙ୍କ ମନରେ ଆଶା ସଞ୍ଚାର ହୋଇଛି।ବିଧାୟକଙ୍କ ଏହି ଗସ୍ତ ସମୟରେ ମନ୍ଦିର କମିଟି ସଦସ୍ୟ ଗୋପୀନାଥ ପରିଛା, ମୂରଲୀଧର ପରିଛା, ବରିଷ୍ଠ ନାଗରିକ ଗଜେନ୍ଦ୍ର ପଣ୍ଡା, ସାମ୍ବାଦିକ କୃଷ୍ଣ କୁମାର ବେହେରା, ମନ୍ଦିର କମିଟି ସଦସ୍ୟ ମଧୁ ବେହେରା, ମୁନା ମହାରଣା, ରାଜେନ୍ଦ୍ର ପଢିଆରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.