ନୂଆଦିଲ୍ଲୀ:ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବର ସୁଦ୍ଧା ସ୍ବଦେଶ ଫେରିବେ ବୋଲି କହିଛନ୍ତି। ତେବେ ସମୟ ଆସିଲେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବେ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ବାଂଲାଦେଶରେ ଆୱାମୀ ଲିଗ୍ କର୍ମୀମାନଙ୍କ ଉପରେ ବ୍ୟାପକ ଆକ୍ରମଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଦଳୀୟ କର୍ମୀଙ୍କ ଉପରେ ପ୍ରତିଦିନ ଆକ୍ରମଣ ହେଉଥିବାରୁ ତାଙ୍କୁ ସ୍ବଦେଶ ଫେରିବାକୁ ପଡ଼ିବ। ଭବିଷ୍ୟତ ନେଇ ସେ ଚିନ୍ତିତ ନୁହନ୍ତି। କ୍ଷମତାକୁ ଫେରିବାକୁ ସେ ଲାଳାୟିତ ନୁହନ୍ତି। ଲୋକଙ୍କ ସହିତ ଠିଆ ହେବାକୁ ଚାହୁଁଥିବାରୁ ନିଜ ଦେଶକୁ ଫେରିବି ବୋଲି ହସିନା କହିଛନ୍ତି।
ଆୱାମୀ ଲିଗ୍ର ଭବିଷ୍ୟତ ସମ୍ପର୍କରେ ହସିନା କହିଥିଲେ ଏହା ସାଧାରଣ ଜନତାଙ୍କ ଦଳ। ଆୱାମୀ ଲିଗ୍ ଏକ ସଂଗଠନ ଭାବରେ ଅସ୍ତିତ୍ୱ ରଖିଛି ଏବଂ ରହିବ। ସେ ଦାବି କରିଛନ୍ତି ଯେ ସେ ଦଳୀୟ ନେତା ଏବଂ କର୍ମୀଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କ ସହିତ ନିୟମିତ କଥା ହେଉଛନ୍ତି। ଏତେ ଅତ୍ୟାଚାର ସତ୍ତ୍ୱେ ଯଦି କୌଣସି ଦଳ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ରହିଛି ତେବେ ତାହା ହେଉଛି ଆୱାମୀ ଲିଗ।