ପଟ୍ଟାମୁଣ୍ଡାଇ ବ୍ଲକ ଓ ମୂନସିପାଲଟି ଅଚଳରେ ବନ୍ୟା ପରିସ୍ଥିତି ଉଦବେଗ ଜନକ !
କୁଳସାହି ଆବାସିକ ସ୍କୁଲ ପାଣି ଘେରରେ :୩୦୦ଉର୍ଦ୍ଧ୍ଵ ପିଲା ଜଳବନ୍ଦୀ
ପଟ୍ଟାମୁଣ୍ଡାଇ୧୬/୮ : ବ୍ରାହ୍ମଣୀ ଓ କାଣୀନଦୀରେ ୩ୟ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ଧୋୟାଞ୍ଚଳ ଜଳମଗ୍ନ ହୋଇପଡିଛି।ପେଣ୍ଠପାଳ ପଞ୍ଚାୟତର କୁଳସାହି ଆବାସିକ ସ୍କୁଲ ପାଣିଘେରରେ। ସେଠାରେ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଜଳବନ୍ଦୀ ହୋଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଯଦିଚ ପାଣି ଅଧିକ ହୁଏ ଆସନ୍ତାକାଲି ମହାଦେଇ ପାଟଣା ଆଵାସିକ ସ୍କୁଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଜଣାପଡ଼ିଛି । ସେହିପରି ବାଛରା, ବାଲିପାଟଣା, ନୀଳକଣ୍ଠପୁର, ଅମୃତମଣୋହିଁ, ବଲୁରିଆ, ଅଣ୍ଢରା, ସିଂହଗାଁ, ପେଣ୍ଠପାଳ, ତରଡ଼ିପାଳ ଓ ଅଳପୁଆ, ଶ୍ରୀରାମପୁର,ଡାମରପୁର, ଵଳଭଦ୍ରପୁର,ଆଦି ପଞ୍ଚାୟତର ପ୍ରତ୍ୟେକ ରାଜସ୍ବ ଗ୍ରାମର ହଜାର ହଜାର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଲଗାଣ ବର୍ଷାର ତାଣ୍ଡବ ବେଡି ଉପରେ କୋରଡ଼ା ସଦୃଶ ହୋଇଛି। ଏଠାରେ ସ୍ମରଣଯୋଗ୍ୟ ଗତ ୧ ମାସ ହେବ ସିଂହଗାଁ ପଞ୍ଚାୟତର ରାଉଳିଆ, ଅଣ୍ଢରା ପଞ୍ଚାୟତ ବ୍ରାହ୍ମଣସାହି ଗିରିସାହି ଏବଂ ପୂର୍ବ ପାର୍ଶ୍ୱ ଜେନାସାହି, ଅମୃତମଣୋହିଁ ପଞ୍ଚାୟତ ଜଗନ୍ନାଥପୁର, ତରେଇପାଟଣା, ପେଣ୍ଠପାଳ ଗ୍ରାପର ବାଲିକିରା କୁଳସାହି, ତରଡ଼ିପାଳ ପଞ୍ଚାୟତର ଘାଗରାଡିଆ, ମଳିକସାହି, ନାଥସାହି, ସେହିପରି ଅଳପୁଆ ପଞ୍ଚାୟତର ଗୋଜିଆକଣ, ଯେନାସାହି, ସେଠିସାହି ଓ ଶାସନ ଆଦି ଗ୍ରାମ ଜଳବନ୍ଦୀ।ଅନୁରୂପଭାବେ ପୌରାଞ୍ଚଳର କଷଣଅଣ୍ଟା, ବାଲିପଡ଼ା ଓ ଷଣ୍ଢପଲି ଗ୍ରାମର ଅଧିବାସୀ ଜଳବନ୍ଦୀ ହୋଇପଡିଛି ।

ଏହି ସମସ୍ତ ଅଞ୍ଚଳକୁ ଜିଲ୍ଲାପାଳ, ବିଧାୟକ ଓ କୃଷିମନ୍ତ୍ରୀ ପ୍ରଥମ ବନ୍ୟା ସମୟରେ ଗ୍ରସ୍ତ କରିଥିଲେ, ସାଧାରଣ ଜନତା ଗୋଖାଦ୍ୟ ଓ ରିଲିଫରେ ଶୁଖିଲା ଖାଦ୍ୟ ମହମବତୀ ଯୋଗାଇବାକୁ ଦୃଢ଼ ଦାବି ରଖିଥିଲେ। ଅବଶ୍ୟ ଗୋଖାଦ୍ୟ ପ୍ରଶାସନ ଦେଇଛି ହେଲେ ରିଲିଫରେ ଯେଉଁ ଚୁଡା- ଗୁଡ ଦେଲେ ତାହା ସମୁଦ୍ରକୁ ଶଙ୍ଖେ। ଉଭୟ ବ୍ରାହ୍ମଣୀ ଓ କାଣୀନଦୀରେ ତୃତୀୟ ବନ୍ୟା ପାଣି ନକମିଥିବା ସ୍ଥଳେ, ୩ୟ ବନ୍ୟା ପରିସ୍ଥିତିକୁ ଅସମ୍ଭାଳ କରିଛି। ପୂର୍ତ୍ତ ବିଭାଗ ରାସ୍ତାର ଦାଣ୍ଡିସାହି କଲେଜ ଛକ ଅଣ୍ଢରା ଗ୍ରାମର ଉଭୟ ପାର୍ଶ୍ଵ ମୁଖ୍ୟ ସଡ଼କ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି।ରବିବାର ଶନିବାର ରାତି ଓ ସୋମବାର ଦିନ ତମାମ ଅଣ୍ଢରା, ଅମୃତମଣୋହିଁ ଓ ବଲୁରିଆ ପଞ୍ଚାୟତରେ ବିଜୁଳି କଟାଯାଇଛି। ଗୋରୁ ଗାଈ ସହିତ ଛେଳି ମେଣ୍ଢାଙ୍କ ଅବସ୍ଥା ନକହିଲେ ଭଲ। ଶନିବାର ରାତି ଓ ରବିବାର ଦିନ ତମାମ ବର୍ଷା ଲାଗି ରହିଛି। ବିଜୁଳି ରହୁ ନଥିବାରୁ ପାନୀୟ ଜଳ ସମସ୍ୟା ଦ୍ୱିଗୁଣିତ ହୋଇଛି, କାରଣ ବନ୍ୟାରେ ପ୍ରାୟତଃ ସବୁ ଗ୍ରାମର ନଳକୂପ ପାଣିରେ ବୁଡ଼ିଛି। ଗୋରୁ ଗୁହାଳରେ ବନ୍ୟା ଜଳ ଲହରୀ ଭାଙ୍ଗୁଛି। ସବୁଠାରୁ ଚିନ୍ତାର ବିଷୟ ଏକାଧିକ କୁମ୍ଭୀର ବର୍ତ୍ତମାନ ଗାଁ ମୁହାଁ। ବାରହା ଓ ବିଷଧର ସର୍ପ ଉପଦ୍ରଵ ରେ ସମଗ୍ର ବନ୍ୟାଞ୍ଚଳ ଭୟଭୀତ।