ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ଉଦ୍ୟମ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ସାଂସ୍କୃତିକ ଐତିହ୍ୟରେ ସ୍ଥାନିତ ପାଇଁ ତଥ୍ୟପ୍ରମାଣ ପ୍ରଦାନ କରାଯାଇଛି। ତାହାକୁ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କେନ୍ଦ୍ର ସରକାରଙ୍କୁ ଆବେଦନ କରାଯାଇଛି। କେନ୍ଦ୍ର ଏହାକୁ ଅନୁଧ୍ୟାନ କରି ୟୁନେସ୍କୋକୁ ପଠାଇଥାନ୍ତି। ଇତିମଧ୍ୟରେ ମନ୍ଦିର ପ୍ରଶାସନ ରଥଯାତ୍ରାର ସମସ୍ତ ତଥ୍ୟ ଓ ଭିଡିଓ ପ୍ରଦାନ କରାଯାଇଛି। ଏପରିକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢୀ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି। ଆସନ୍ତା ନଭେମ୍ବର ମାସରେ ୟୁନେସ୍କୋର ବୈଠକରେ ବିଶ୍ବର ବିଭିନ୍ନ ସାଂସ୍କୃତିକ ଐତିହ୍ୟ ଉପରେ ବିଚାର କରାଯିବ।

ବର୍ତ୍ତମାନ ଦେଶର ଉତ୍ତର ପ୍ରଦେଶର କୁମ୍ଭମେଳା, ହିମାଚଳପ୍ରଦେଶର ରମ୍ମନ, ପଶ୍ଚିମବଂଗର ଦୁର୍ଗାପୂଜା ବର୍ତ୍ତମାନ ବିଶ୍ବ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ ହୋଇସାରିଛି। ହେଲେ ବହୁ ପ୍ରାଚୀନ ଯୁଗର ଚାଲିଆସିଥିବା ପୁରୀ ରଥଯାତ୍ରାକୁ ଏ ପର୍ଯ୍ୟନ୍ତ ଏହି ତାଲିକାରେ ସାମିଲ ହୋଇପାରି ନାହିଁ।

Comments are closed.