ଅର୍ଣ୍ଣବ ବାତ୍ୟାରେ ନିଖୋଜ ବ୍ୟକ୍ତିଙ୍କ ପତ୍ତା 5 ଦିନ ପରେ ମଧ୍ୟ ମିଳିଲାନି …..

ପ୍ରଶାସନ ଉଦ୍ଧାର କାର୍ଯ୍ୟ ବନ୍ଦ କଲେ, ପରିବାର ଲୋକେ ଟଙ୍କା ଲଗାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ ।

0

ଗଜପତି 3/11(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ଗଜପତି ଜିଲ୍ଲାରେ ପ୍ରଳୟଙ୍କର ଅର୍ଣ୍ଣବ ବାତ୍ୟାଜନିତ କାରଣରୁ ନିଖୋଜ ଥିବା ବ୍ୟକ୍ତିଙ୍କ ପତ୍ତା 5 ଦିନ ପରେ ମଧ୍ୟ ମିଳୁନାହିଁ. ବର୍ତ୍ତମାନ ପୁଣି ଆସୁଥିବା ସମ୍ଭାବ୍ୟ ମୁରାସୁକୁ ମୁକାବିଲା କରିବା ପାଇଁ ବିଭିନ୍ନ ଅଞ୍ଚଳରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିବା କାରଣରୁ ପ୍ରଶାସନ ଗତ 4 ଦିନ ଧରି ଚାଲୁ ରଖିଥିବା ଉଦ୍ଧାର କାର୍ଯ୍ୟକୁ ଆଜିଠାରୁ ବନ୍ଦ କରିଛନ୍ତି. ଅପରପକ୍ଷରେ ନିଖୋଜ ପରିବାରର ଲୋକେ ନିଜସ୍ୱ ଟଙ୍କା ଲଗାଇ ଘରୋଇ ଉଦ୍ଧାରକାରୀଟିମ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆଜିଠାରୁ ଆରମ୍ଭ କରିଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ଗ୍ରାମର ପିତାମ୍ବର ବାଢ଼ିଆସାହୁ ଗତ 30 ତାରିଖ ଦିନ ସବୁ ଦିନ ଭଳି
ମହେନ୍ଦ୍ରତନୟା ନଦୀରେ ଗାଧେଇବା ପାଇଁ ଯାଇଥିଲେ. ହେଲେ ଅର୍ଣ୍ଣବ ଜନିତ ପ୍ରବଳ ବର୍ଷାରେ ମହେନ୍ଦ୍ରତନୟା ନଦୀରେ ବନ୍ୟାଜଳ ଆସିବା କାରଣରୁ ଗାଧେଇବା ପାଇଁ ଯାଇଥିବା ଶ୍ରୀ ବାଢ଼ିଆସାହୁ ପ୍ରଖର ସ୍ରୋତରେ ଭାସିଯାଇ ଥିଲେ. ସେହିଦିନ ଠାରୁ ରାୟଗଡ ବ୍ଲକ ପ୍ରଶାସନ ଦ୍ୱାରା ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇ ଉଦ୍ଧାର କାର୍ଯ୍ୟ ଗତ 4 ଦିନ ଧରି ଲଗାତାର ଭାବେ ଜାରି ରଖିଥିଲେ । ତଥାପି ନିଖୋଜ ବ୍ୟକ୍ତିଙ୍କ କୌଣସି ପତ୍ତା ମିଳିଲାନି. ବର୍ତ୍ତମାନ ସମ୍ଭାବ୍ୟ ମୁରାସୁ ବାତ୍ୟାର ମୁକାବିଲା ଓ ସୁରକ୍ଷା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ଜରୁରୀକାଳୀନ ଭାବେ ବ୍ଲକ ପ୍ରଶାସନ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା କାରଣରୁ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ 4 ଦିନ ପରେ ବନ୍ଦ ରଖାଗଲା । ବର୍ତ୍ତମାନ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ନିଜସ୍ୱ ଅର୍ଥ ଲଗାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି । ସମ୍ପୃକ୍ତ ଘଟଣାଟି ରାୟଗଡ ବ୍ଲକ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.