ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହୋତ୍ସବ: ଠାକୁରଙ୍କୁ ନେଇ ଆନନ୍ଦ କରିବା ଉତ୍ସବର ଆଭିମୁଖ୍ୟ

ଚନ୍ଦ୍ରଶେଖରପୁର: ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ ଓ ସ୍ଥାନୀୟ ସତ୍‌ସଙ୍ଗ ବିହାରର ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆଜି ମଞ୍ଚେଶ୍ବର ରେଳବାଇ ଖେଳ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସତ୍‌ସଙ୍ଗର ଆଧ୍ୟାତ୍ମିକ ମୁଖ୍ୟ ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବ ଯୋଗଦାନ କରି ଉପସ୍ଥିତ ଭକ୍ତଅନୁରାଗୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ସେ କହିଥିଲେ ଏହି ଉତ୍ସବର ଆଭିମୁଖ୍ୟ ହେଉଛି ଠାକୁରଙ୍କୁ ନେଇ ଆନନ୍ଦ କରିବା। ଆଉ ମୁଁ ଏହି ଆନନ୍ଦରେ ସାମିଲ ହେବା ପାଇଁ ଆପଣମାନଙ୍କ ଗହଣକୁ ଆସିଛି। ଏଥିସହ ଶ୍ରୀଶ୍ରୀଆଚାର୍ଯ୍ୟଦେବ ସୂଚନା ଦେଇଥିଲେ ଯେ ଆସନ୍ତା ଅକ୍ଟୋବରରେ ସେ ସର୍ବଭାରତୀୟ ପରିକ୍ରମା ଆରମ୍ଭ କରିବେ ଓ ବିଭିନ୍ନ ସ୍ଥାନକୁ ଯାଇ ଶ୍ରଦ୍ଧାଳୁଙ୍କୁ ଅନୁପ୍ରାଣିତ କରିବେ। ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସତ‌୍‌ସଙ୍ଗର ସହ-ସଂପାଦକ ଶିବାନନ୍ଦ ପ୍ରସାଦ ଓ ଡା. ବିନାୟକ ମହାପାତ୍ର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ପ୍ରାତଃକାଳରେ ବେଦମାଙ୍ଗଳିକୀ, ସମବେତ ପ୍ରାର୍ଥନା, ସଦଗ୍ରନ୍ଥପାଠରୁ ଉତ୍ସବ ଆରମ୍ଭ ହୋଇଥିଲା। ଏହାପରେ ବିଭିନ୍ନ ମଞ୍ଚରେ ଦିବସବ୍ୟାପୀ ଗୁରୁଭ୍ରାତା, ମାତୃମଣ୍ଡଳୀ ଓ ଶିଶୁମାନେ ଭଜନ-କୀର୍ତ୍ତନ ଓ ଆଲୋଚନା ପରିବେଷଣ କରିଥିଲେ। ତତ୍ପରେ ସତ୍‌ସଙ୍ଗ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ପ୍ରାୟ ୧ ହଜାର ରୋଗୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ସତ୍‌ସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ସମସ୍ତକୁ ଚା’ ଓ ବିସ୍କୁଟ୍ ବିତରଣ କରାଯାଇଥିଲ। ଏହି ଅବସରରେ ଉତ୍ସବର ସ୍ମରଣିକା ‘ତର୍ପଣ’ ଉନ୍ମୋଚିତ ହୋଇଥିଲା। ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ। ଦିବସବ୍ୟାପୀ ଯୁବକର୍ମୀମାନେ ଦୀକ୍ଷାପତ୍ର କାର୍ଯ୍ୟ ପରିଚାଳନା କରିଥିଲେ।

ଉତ୍ସବରେ ଅନୁଷ୍ଠିତ ଭକ୍ତିସଂଗୀତାଞ୍ଜଳି କାର୍ଯ୍ୟକ୍ରମରେ ପଣ୍ଡିତ ବଳରାମ ଦାସ, ଚକ୍ରଧାରୀ ନାୟକ, ସିଦ୍ଧାର୍ଥ ରଂଜନ ଧଳ, ପ୍ରଶାନ୍ତ ନାୟକ ଓ ଅମିତାଭ ସାମନ୍ତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅପରାହ୍ନ ୩ଟାରେ ଦେଓଘରରୁ ଆଗତ ସ୍ପିରିଚୁଆଲ୍ ଅର୍କେଷ୍ଟ୍ରା ହ୍ବାଇଟ ବ୍ୟାଣ୍ଡ୍ କାର୍ଯ୍ୟକ୍ରମ ପରିବେଷଣ କରିଥିଲା। ସନ୍ଧ୍ୟାରେ ବିନତି ପ୍ରାର୍ଥନା ପରେ ଶାଶ୍ୱତ ଯୋଗୀ ଓ ତାଙ୍କ ସାଥୀ ଓଡ଼ିଶୀ ନୃତ୍ୟ ସହ ଅନ୍ୟ ପ୍ରାନ୍ତୀୟ ନୃତ୍ୟ ପରିବେଷଣ ହୋଇଥିଲା। ସଂଧ୍ୟାରେ ଜଣାଶୁଣା ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ଓ ତାଙ୍କ ସାଥୀ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ୩୦,୦୦୦ରୁ ଊର୍ଦ୍ଧ୍ବ ଭକ୍ତ ଓ ଅନୁରାଗୀ ପ୍ରସାଦ ସେବାରେ ସାମିଲ ହୋଇଥିଲେ।

Comments are closed.