ହନୁମାନ ପଇସାରୁ ବାଘ ଛାଲ ମାଫିଆଙ୍କ ସମ୍ପର୍କ, ଗଞ୍ଜାମ ଦିଗପହଣ୍ଡିରୁ ଶିକାରୀ ସମେତ ଆହୁରି ୫ ଗିରଫ

କଟକ: ଗଞ୍ଜାମ ଜିଲ୍ଲାରେ ବାଘ ଶିକାର ପରେ ଏହାର ଛାଲ ଭାୟା କଟକ ସହର ଦେଇ କୋଲକାତା ଯାଉଛି। କୋଲକାତାରୁ ଏହାକୁ ବାଂଲାଦେଶ ଚାଲାଣ ହେଉଛି। ତେବେ ଓଡ଼ିଶା ଓ ବାଂଲାଦେଶ ମଧ୍ୟରେ ବାଘ ଛାଲ କାରବାର ପଛର ଗଡ୍‌ଫାଦର୍ ହେଉଛି ରାହୁଲ ମିଶ୍ର। କୋଲକାତାରେ ରହୁଥିବା ରାହୁଲ୍ ଓଡ଼ିଶାରୁ ୫୦ରୁ ୬୦ ହଜାର ଟଙ୍କାରେ ବାଘ ଛାଲ କିଣି ଏହାକୁ ଅନ୍ତର୍ଜାତୀୟ ବଜାରରେ ୫୦ ଲକ୍ଷ ଯାଏ ମୂଲ୍ୟରେ ବିକ୍ରି କରୁଥିବା ଘଟଣା ଜଙ୍ଗଲ ବିଭାଗର ନିଦ ହଜାଇ ଦେଇଛି। କଟକରୁ ଧରାପଡ଼ିଥିବା କଲରାପତିଆ ବାଘ ଛାଲ ମାମଲାରେ ଶିକାରୀ ସମେତ ୫ ଜଣଙ୍କୁ ପୁଲିସ ଗଞ୍ଜାମ ଓ ଗଜପତି ଜିଲ୍ଲାରୁ ଗିରଫ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କଟକ ସହରରେ ଧରାପଡ଼ିଥିବା କଲରାପତିଆ ବାଘ ଛାଲ ଗଞ୍ଜାମ ଜିଲ୍ଲାରେ ଶିକାର ହୋଇଥିବା କୁହାଯାଉଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବାଘ ଶିକାରୀ ବାରହା ଶିକାର ପାଇଁ ଫାସ ବସାଇଥିବା କୁହାଯାଉଛି। ଫାସରେ କଲରାପତିଆ ବାଘ ପଡ଼ିଥିବାରୁ ଏହି ବାଘକୁ ମାରି ଛାଲକୁ ବିକ୍ରି ପାଇଁ ଅନ୍ତର୍ଜାତୀୟ ବାଘ ଛାଲ ମାଫିଆଙ୍କ ଯୋଗାଯୋଗରେ ଆସିଥିଲେ। ଏହି ମାମଲାରେ ଧରାପଡ଼ିଥିବା ମାହାଙ୍ଗା ଥାନା କୁହୁଣ୍ଡା ଗାଁର କୁଆଁପାଳର ପ୍ରମୋଦ ଜେନା ତାମିଲନାଡ଼ୁରେ ଏକ କମ୍ପାନିରେ କାମ କରୁଥିଲା। ସେଠାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ପୁଡ଼ିଆମାରି ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ ବି କାମ କରୁଥିଲା। ସେଠି ଉଭୟଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ି ହୋଇଥିଲା। ପରେ ଗତପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଜିତେନ୍ଦ୍ର ବାଘ ଛାଲ ଆଣି କଟକରେ ପ୍ରମୋଦକୁ ବିକ୍ରି କରିଥିଲା। ପ୍ରମୋଦ ଏହି ବାଘ ଛାଲ କେନ୍ଦ୍ରାପଡ଼ା ଜିଲ୍ଲା ବଡ଼ଗାଁର ରବିନାରାୟଣ ବାରିକ ମାଧ୍ୟମରେ କୋଲକାତାରେ ରହୁଥିବା ରାହୁଲ ମିଶ୍ରକୁ ୬୦ ହଜାର ଟଙ୍କାରେ ବିକିବାକୁ ଯୋଜନା କରିଥିଲା। ରାହୁଲ ଜଣେ ଅନ୍ତର୍ଜାତୀୟ ବାଘ ଛାଲ ମାଫିଆ। ସେ ଏହି ବାଘ ଛାଲକୁ ବାଂଲାଦେଶ ବଜାରରେ ବିକ୍ରି କରିଥାଏ। କେନ୍ଦ୍ରାପଡ଼ାର ରବିନାରାୟଣ ସହିତ ରାହୁଲର ଘନିଷ୍ଠ ସମ୍ପର୍କ।

Comments are closed.