ସ୍ବାସ୍ଥ୍ୟ ପାଇଁ ଶୋଇବା ଶୈଳୀର ଭୂମିକା

ସୁନ୍ଦର ସ୍ବାସ୍ଥ୍ୟ ପାଇଁ ସୁଖନିଦ୍ରା ନିହାତି ଜରୁରୀ। ତେବେ ଶୋଇବା ମାନେ ନୁହେଁ ଆଖିବୁଜି ନିସ୍ତେଜ ହୋଇ ପଡ଼ିରହିବା। ଶୋଇବାର ଢଙ୍ଗ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସ୍ବାସ୍ଥ୍ୟବିଜ୍ଞାନୀମାନେ ଜାଣିପାରିଛନ୍ତି। ଆମ ସମସ୍ତଙ୍କର ଶୋଇବା ଶୈଳୀକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ। ସେଥିରୁ କେହି କେହି ଉପରକୁ ମୁହଁ କରି ଶୋଇଥା’ନ୍ତି ତ କେହି କେହି ମୁହଁ ମାଡ଼ି ଶୋଇଥା’ନ୍ତି। ଆଉ କେହି କେହି ମଧ୍ୟ କଡ଼େଇ ଶୋଇଥା’ନ୍ତି। ତେବେ ଉପରକୁ ମୁହଁ କରି ଶୋଇବା ହିଁ ସବୁଠୁ ସ୍ବାସ୍ଥ୍ୟପ୍ରଦ ବୋଲି ଜଣାଯାଇଛି।

ଏହାଦ୍ବାରା ଆମର ସୁଷୁମ୍ନାକାଣ୍ଡ ଠିକ୍‌ରେ ସ୍ଥାନୀତ ହୋଇ ରହିଥାଏ। ଏପରି ଶୋଇବା ଦ୍ବାରା ମଧ୍ୟ ପିଠି ଓ ବେକ ମାଂସପେଶୀରେ କମ୍‌ ଚାପ ପଡ଼ିଥାଏ। ଏହା ମଧ୍ୟ ତ୍ବଚା ପାଇଁ ହିତକର। ଏହା ଦ୍ବାରା ମୁହଁର ଚର୍ମ ଶୀଘ୍ର କୁଞ୍ଚିତ ହୁଏନାହିଁ। ବିଶେଷ କରି ମହିଳାମାନଙ୍କ ପାଇଁ ଏହା ଉପାଦେୟ। ତେବେ ଏଭଳି ଶୈଳୀରେ ଶୋଇବାର ଏକମାତ୍ର ନକାରାତ୍ମକ ଦିଗଟି ହେଲା ଏଥିରେ ଘୁଙ୍ଗୁଡ଼ି ମାରିବାର ଆଶଙ୍କା ଅଧିକ ଥାଏ। ସେହିପରି ଅଧିକାଂଶ ଲୋକ ବାମ ପଟ କି ଡାହାଣ ପଟ କଡ଼େଇ ଶୋଇଥା’ନ୍ତି। ଏହା ଦ୍ବାରା ଗୋଡ଼ ଓ ହାତରେ ଯନ୍ତ୍ରଣା ହୋଇଥାଏ। ଏଥି ସହିତ ଡାହାଣ ପଟକୁ ମାଡ଼ି ଶୋଇବା ଅଧିକ କ୍ଷତିକାରକ। କାରଣ ଏହାଦ୍ବାରା ପେଟ ଭିତରେ ବାମ ପଟେ ଥିବା ପାକସ୍ଥଳୀଟି ଝୁଲିଲା ପରି ଅବସ୍ଥାରେ ରହିବାରୁ ଜୀର୍ଣ୍ଣକ୍ରିୟାରେ ଅସୁବିଧା ହୋଇଥାଏ। ଅପରପକ୍ଷେ, ପେଟ ମାଡ଼ି ଶୋଇବା ସବୁଠୁ ହାନିକାରକ। କାରଣ ଏହାଦ୍ବାରା ମୁଣ୍ଡଟି ମୋଡ଼ି ହୋଇ ରହୁଥିବାରୁ ବେକରେ ଯନ୍ତ୍ରଣା ହେବା ସୁନିଶ୍ଚିତ।

Comments are closed.