ପ୍ରଧାନମନ୍ତ୍ରୀଙ୍କ ତଥାକଥିତ ଅମୃତ କାଳ ଏବେ ଦେଶ ପାଇଁ ବିଷ କାଳରେ ପରିଣତ ହୋଇଛି: ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ : ପୁଣି ନିଟ୍ ପ୍ରଶ୍ନପତ୍ର ଲିକ୍‌। ପ୍ରଶ୍ନପତ୍ର ଲିକ ଯୋଗୁ ବାତିଲ ହୋଇ ଯାଇଛି ନିଟ ୟୁଜି ୨୦୨୬ ପରୀକ୍ଷା। ସାରା ଦେଶରେ ପ୍ରଶ୍ନପତ୍ର ଲିକକୁ ନେଇ ଝଡ଼ ଦେଖିବାକୁ ମିଳିଛି। ମେ’ ୩ରେ ୨୨ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ।ପରୀକ୍ଷା ବାତିଲକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତଥାକଥିତ ଅମୃତ କାଳ ଏବେ ଦେଶ ପାଇଁ ବିଷ କାଳରେ ପରିଣତ ହୋଇ ଯାଇଛି। ତାଙ୍କ କହିବା କଥା ଯେ ଦୁର୍ନୀତି ଗ୍ରସ୍ତ ବିଜେପି ଶାସନ ଯୋଗୁ ଏବେ ୨୨ ଲକ୍ଷରୁ ଅଧିକ ଶିକ୍ଷାର୍ଥୀଙ୍କ କଠିନ ପରିଶ୍ରମ, ବଳିଦାନ ଓ ସ୍ୱପ୍ନ ଧୂଳିସାତ ହୋଇ ଯାଇଛି। ସେ ଏକ୍ସରେ ଗୋଟିଏ ପୋଷ୍ଟ କରି ଲେଖିଛନ୍ତି ଯେ ନିଟ ୨୦୨୬ ପରୀକ୍ଷା ବାତିଲ ହୋଇଯାଇଛି।

୨୨ ଲକ୍ଷରୁ ଅଧିକ ଶିକ୍ଷାର୍ଥୀଙ୍କ କଠିନ ପରିଶ୍ରମ, ବଳିଦାନ ଓ ସ୍ୱପ୍ନ ଏବେ ଏହି ଦୁର୍ନୀତି ଖୋର ବିଜେପି ଶାସନ ଧ୍ୱଂସ କରି ଦେଇଛି। କିଛି ପିଲାଙ୍କ ବାପା ଋଣ କରିଥିଲେ। କିଛି ପିଲାଙ୍କ ମା ନିଜର ଅଳଙ୍କାର ବିକ୍ରି କରି ଦେଇଥିଲେ। ଲକ୍ଷାଧିକ ପିଲା ରାତି ରାତି ଅନିଦ୍ରା ରହି ପାଠ ପଢ଼ିଥିଲେ। ଏହା ବଦଳରେ ସେମାନେ ପାଇଛନ୍ତି ପ୍ରଶ୍ନପତ୍ର ଲିକ, ସରକାରୀ ଅବହେଳା ଓ ଶିକ୍ଷା ବ୍ୟବସ୍ଥାରେ ଥିବା ସଂଗଠିତ ଦୁର୍ନୀତି।ଏହା କେବଳ ଗୋଟିଏ ବିଫଳତା ନୁହେଁ, ଏହା ଆମ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ବିରୋଧରେ ଅପରାଧ।

ପ୍ରତିଥର ପ୍ରଶ୍ନପତ୍ର ମାଫିଆ ବେଶ ଆରାମରେ ଖସି ଯାଉଛନ୍ତି। ହେଲେ ସ୍ୱଚ୍ଛ ଶିକ୍ଷାର୍ଥୀମାନେ ଦଣ୍ଡ ପାଉଛନ୍ତି। ଏବେ ଲକ୍ଷାଧିକ ପିଲା ସମାନ ମାନସିକ ଚାପ, ଆର୍ଥିକ ବୋଝ ଓ ଅନିଶ୍ଚିତାର ସମ୍ମୁଖୀନ ହେବେ।ଯଦି ଜଣଙ୍କ ଭାଗ୍ୟ କଠିନ ପରିଶ୍ରମ ବଦଳରେ ଟଙ୍କା ଦ୍ୱାରା ନିର୍ଦ୍ଧାରିତ ହେବ, ତା’ହେଲେ ଶିକ୍ଷାର ମୂଲ୍ୟ କ’ଣ ରହିଲ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଅନେକ ନେତା ଓ ଶିକ୍ଷାବିତ ଏହି ଘଟଣାକୁ ସମାଲୋଚନା କରୁଛନ୍ତି।

Leave A Reply

Your email address will not be published.