ଫକୀର ମୋହନ ମେଡିକାଲ କଲେଜରେ ସିଟି ସ୍କାନ୍, ଏମ୍.ଆର୍.ଆଇ. ସେବା ପାଇଁ ବିଧାନସଭାରେ ଦାବି ଉଠାଇଲେ ସୁବାସିନୀ

•୧୨ଟି ଅନୁମୋଦନ ଅପେକ୍ଷାରେ ଥିବା ପିଜି ସିଟ୍‌ର ଅବସ୍ଥା ନେଇ ମଧ୍ୟ ପ୍ରଶ୍ନ

0
ବାଲେଶ୍ୱର, ନଭେମ୍ବର ୨୬ (କୃଷ୍ଣ କୁମାର ମହାନ୍ତି): ରେମୁଣାସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ସିଟି ସ୍କାନ୍ ଓ ଏମ୍.ଆର୍.ଆଇ. ଭଳି ଅତ୍ୟାବଶ୍ୟକ ନିଦାନ ସେବା ଉପଲବ୍ଧ କରାଇବା ସହ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମର ଅବଶିଷ୍ଟ ସିଟ୍‌ଗୁଡ଼ିକର ଅନୁମୋଦନ ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି ବସ୍ତା ବିଧାୟିକା ସୁବାସିନୀ ଜେନା।
ଚଳିତ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ବିଧାୟିକା ଜେନା ଜଣାଇଥିଲେ ଯେ, ମେଡିକାଲ କଲେଜରେ ୧୪ଟି ବିଭାଗରେ ମୋଟ ୫୮ଟି ପିଜି ସିଟ୍‌ ପାଇଁ ଆବେଦନ କରାଯାଇଥିଲା। ସେଥିମଧ୍ୟରୁ ୧୦ଟି ବିଭାଗର ୪୬ଟି ସିଟ୍‌କୁ ଅନୁମୋଦନ ମିଳିଥିବା ବେଳେ ଅବଶିଷ୍ଟ ସିଟ୍‌ଗୁଡ଼ିକର ଅନୁମୋଦନ ଓ ଆବଶ୍ୟକ ଭିତ୍ତିଭୂମି ଏବଂ ମାନବସମ୍ବଳ ପୂରଣ ନେଇ ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଲୋଡ଼ିଥିଲେ।
ଉତ୍ତରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ୧୪ଟି ବିଭାଗର ୫୮ଟି ପିଜି ସିଟ୍‌ ମଧ୍ୟରୁ ୪୬ଟି ସିଟ୍‌କୁ ଅନୁମୋଦନ ମିଳିସାରିଛି। ଅବଶିଷ୍ଟ ୧୨ଟି ସିଟ୍‌ ମାନସିକ ରୋଗ, ଚର୍ମ ଓ ଯୌନ ରୋଗ, ଜରୁରୀକାଳୀନ ଚିକିତ୍ସା ଏବଂ ଚକ୍ଷୁ ବିଭାଗରେ ରହିଛି। ଏହି ଚାରିଟି ବିଭାଗର ସିଟ୍‌ଗୁଡ଼ିକୁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନାହିଁ।
ମେଡିକାଲ କଲେଜର ନିଦାନ ଭିତ୍ତିଭୂମି ଓ ରୋଗୀ ସେବା ସମ୍ପର୍କରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପୂର୍ବରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିକାଲ କଲେଜର ସହ-ଅବସ୍ଥିତ ଶିକ୍ଷଣ ହସ୍ପିଟାଲ ଭାବେ କାର୍ଯ୍ୟ କରୁଥିଲା। ମେଡିକାଲ କଲେଜର ନିଜସ୍ୱ ଶିକ୍ଷଣ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ପରେ ସେଠାରେ ଏମ୍.ଆର୍.ଆଇ. ଓ ସିଟି ସ୍କାନ୍ ବ୍ୟତୀତ ଅନ୍ୟ ସମସ୍ତ ଚିକିତ୍ସା ସେବା ଉପଲବ୍ଧ ହେଉଛି। ବର୍ତ୍ତମାନ ଏହି ଦୁଇଟି ନିଦାନ ସେବା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି।
ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ନିଜସ୍ୱ ଏମ୍.ଆର୍.ଆଇ. ଓ ସିଟି ସ୍କାନ୍ ବ୍ୟବସ୍ଥା ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ଜାତୀୟ ଆୟୁର୍ବିଜ୍ଞାନ ଆୟୋଗର ନିୟମାବଳୀ ଅନୁଯାୟୀ ପିଜି ପାଠ୍ୟକ୍ରମ ପାଇଁ ଆବଶ୍ୟକ ନିଦାନ ଭିତ୍ତିଭୂମି ସୁନିଶ୍ଚିତ କରିବା ଦିଗରେ ସରକାର ତ୍ୱରିତ ପଦକ୍ଷେପ ନେଉଥିବା ମନ୍ତ୍ରୀ କହିଛନ୍ତି।
Leave A Reply

Your email address will not be published.