ବାଲେଶ୍ଵର ଜିଲ୍ଲାପାଳ ପରିଦର୍ଶନ କଲେ ଜଳେଶ୍ୱରର ଶିକ୍ଷା ଓ ସ୍ୱାସ୍ଥ୍ୟକେନ୍ଦ୍ର

ଛାତ୍ରଛାତ୍ରୀ, ଶିକ୍ଷକ ଓ ରୋଗୀଙ୍କ ସହ କଲେ ଆଲୋଚନା; ଭିତ୍ତିଭୂମି ଓ ସେବାର ମାନ ଅନୁଧ୍ୟାନ

0
ବାଲେଶ୍ୱର, ନଭେମ୍ବର ୨୬ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ବୁଧବାର ଜଳେଶ୍ୱର ବ୍ଲକ୍‌ର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାରେ ଉପଲବ୍ଧ ଭିତ୍ତିଭୂମି, ସୁବିଧାସୁଯୋଗ ଏବଂ ସେବାର ମାନ ସମୀକ୍ଷା କରିଥିଲେ।
ଜିଲ୍ଲାପାଳ ପ୍ରଥମେ କବାଟଘାଟି ଆଶ୍ରମ ବିଦ୍ୟାଳୟ ଓ କବାଟଘାଟି ଆଶ୍ରମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟରେ ରହିଥିବା ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧାର ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କଠାରୁ ମତାମତ ସଂଗ୍ରହ କରି ବିଦ୍ୟାଳୟର ଆବଶ୍ୟକତା, ସମସ୍ୟା ଓ ଉନ୍ନତିକରଣର ସମ୍ଭାବନା ସମ୍ପର୍କରେ ଅବଗତ ହୋଇଥିଲେ।
ପରେ ଜିଲ୍ଲାପାଳ ଜଳେଶ୍ୱର ବ୍ଲକ୍‌ର ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ରୋଗୀ ଓ ଡାକ୍ତରୀ କର୍ମଚାରୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟସେବାର ମାନ, ଉପଲବ୍ଧ ସୁବିଧା ଓ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟପ୍ରଣାଳୀ ସମୀକ୍ଷା କରିଥିଲେ।
ଜନସାଧାରଣଙ୍କୁ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷାର ପରିବେଶର ଉନ୍ନତି ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।
Leave A Reply

Your email address will not be published.