ସୁଭାଷ ନିର୍ଭୀକ ଦେଇଛି ଡାକ

ଅର୍ଜୁନୀ ଚରଣ ବେହେରା

ସୁଭାଷ ନିର୍ଭୀକ ଦେଇଛି ଡାକ
===========
ଇମ୍ଫାଲ ବକ୍ଷେ ଉଡ଼ାଇ ତ୍ରିରଙ୍ଗା
ନିର୍ଭୀକ ସୁଭାଷ ଦେଇଛି ଡାକ l
ସ୍ୱାଧୀନତା ମୋର ଜନ୍ମ ଅଧିକାର
ମାଗୁ ନାହିଁ ମୁହିଁ ତୁମ୍ଭକୁ ଭିକ ll
ମାଡ଼ି ଚାଲ ମାଡ଼ି ଚାଲରେ ଦିଲ୍ଲୀ
ଦିଲ୍ଲୀ ଚଲୋ ରେ ଦିଲ୍ଲୀ ଚଲୋ l
ରକ୍ତ ଦିଅରେ ରକ୍ତ ଦିଅ ମୋତେ
ରକତ ଗାରରେ ଶୁଝିବି ମୂଲ ll
ଆଜାଦ ହିନ୍ଦ ଫଉଜ ଡାକରା
ହାତ ମିଳା ସବୁ ଲଢୁଆ ପୁଅ l
ସ୍ୱାଧୀନତା ଆଣିଦେଵି ମୁହିଁ ନିଶ୍ଚେ
ଧରି ନିଅ ଏହା ଧ୍ରୁବ ନିଶ୍ଚୟ ll
ଔଦ୍ଧତ୍ୟ ଭରା ହୁଙ୍କାର ଶୁଣି ତା’
ଶତ୍ରୁର ହୃଦୟ ଉଠିଲା ଥରି l
ବ୍ରିଟିଶ ଶାସନ ପ୍ରମାଦ ଗଣିଲା
କମ୍ପ ଜ୍ୱର କିମ୍ବା ଆସିଲା ମାଡ଼ି ll
ହାରି ଗୁହାରି ବହୁ ହୋଇ ଗଲା
ଚଳିବନି ତାହା ଏଣିକି ଆଉ l
ସ୍ୱାଧୀନତା ନିଶ୍ଚେ ଛଡ଼ାଇ ନେବି ମୁଁ
ଘୋଷଣା ଏହି ମୋ ବଜ୍ର ବାହୁ ll
ଶତ୍ରୁର ଶତ୍ରୁ ମିତ୍ର ମୋହର ଜର୍ମାନୀ
ଆଉ ମୋ ହିଟଲର ଭାଈ l
ସ୍ୱାଧୀନତା ନିଶ୍ଚେ ଭିଡ଼ି ନେଇ ଯିବି
ଗାଲେ ତୁମର ଚାପୁଡ଼ା ଦେଇ ll
ଗାନ୍ଧୀ ମହାତ୍ମା ହେ ଲାଗି ରହିଥାଅ
ଅହିଂସାରେ ତୁମ ଦିନ ରାତି l
ଅମାନିଆ ତୁମ ସୁଭାଷ ହିଂସ୍ର
ଚରଣେ ତୁମର ଜଣାଏ ଭକ୍ତି ll
କର୍ମବୀର ହୁଅ ବାକ୍ୟବୀର ନୋହି
ଭାରତର ଯେତେ ନବ୍ୟ ଯୁବା l
ଇନକିଲାଵ ଆସ ଆରେ ଭାଈ ଏହି
ବେପାରୀଙ୍କୁ ଗୋଡ଼ାଇ ଦେବା ll
ଅଗ୍ନିବର୍ଷି ବାଣୀ ତୁମର ନେତାଶ୍ରୀ
ଉନମାଦ ଦେଲା ପ୍ରାଣେ ଭରି l
ଲମ୍ଫ ଦେଲେ ଯେତେ ଯୁବକ ଯୁବତୀ
କମ୍ପି ଗଲା ବନ ଗୁହା ଓ ଗିରି ll
ତୋଷାମଦ,ତେଲ,ମାଡ଼ ଖିଆ ନୀତି
ବିଷ ପ୍ରାୟ ଛାଡ଼ ଭାଈ ଭଉଣୀ l
ଓଟାରି ଆଣିବା ଆମ ସ୍ବାଧୀନତା
ଯିବାକୁ ପଛକେ ପଡ଼ୁ ମଶାଣି ll
ଭୁଲି ନାହୁଁ ଆମ୍ଭେ ସେହି ବଜ୍ରବାଣୀ
ଅସୀ ଜବାବ ଅସୀରେ ଦିଅ l
ନେତାଙ୍କର ନେତା ନେତାଜୀ ସୁଭାଷ
ଭାରତ ମାତାର ଯୋଗ୍ୟ ପୁଅ ll
ଅଦମ୍ୟ ସାହସ ଅପୂର୍ଵ ଉତ୍ସାହ
ଶତ ସିଂହ ବଳ ଠୁଳ ତୁମ୍ଭଠି l
କୋଟିଏରେ କାହିଁ ଗୋଟିଏ ମିଳିବେ
ତୁମ ପରି ଦେଶ ଭକତ ଗୋଟି ll
ବୀରପୁଙ୍ଗବ ହେ ନେତାଜୀ ସୁଭାଷ
ଭାରତ ମାତାର ଯୋଗ୍ୟ ସୂତ l
ଜୟ ହିନ୍ଦ୍,ବନ୍ଦେ ମାତରଂ ପ୍ରଣାମ
ଭାରତର ସଚ୍ଚା ଦେଶ ଭକତ ll
🙏🙏🙏
ଅର୍ଜୁନୀ
———————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.