ଜୟ ଜୟ ଶଙ୍କର ଭୋଳା

ଅର୍ଜୁନୀ ଚରଣ ବେହେରା

ଜୟ ଜୟ ଶଙ୍କର ଭୋଳା
==============
ଜୟ ଜୟ ଶଙ୍କର ଭୋଳା !
ତିରୀଶୂଳ ଧାରୀ ସାପୁଆ କେଳା l
ପନ୍ନଗ ଭୂଷଣ ଆହେ ପଞ୍ଚାନନ
ଗଳେ ଲମ୍ବାଇଛ ଅହିଙ୍କ ମାଳା ll
ଜୟ ଜୟ ଶଙ୍କର ଭୋଳା l (୧)

ସତ୍ୟଯୁଗ ଦେବ ଅସୁର ସଂଯୋଗ
ସମୁଦ୍ରମନ୍ଥନ ମନ୍ଦରେ ହେଲା l
ରତ୍ନମାନ ସବୁ ସୁରେ ହରି ନେଲେ
କେଶବ ଲଭିଲେ ମାଆ କମଳା ll
ଜୟ ଜୟ ଶଙ୍କର ଭୋଳା l (୨)

ଶେଷେ ତୁମ୍ଭ ଭାଗ ଆହେ ସଦାଶିବ
ବାସୁକୀଙ୍କ ହଳାହଳ ପଡ଼ିଲା l
ଆକଣ୍ଠେ ପିଇଲ ଆହେ ନୀଳକଣ୍ଠ
ନୀଳବର୍ଣ୍ଣ ତୁମ୍ଭ କଣ୍ଠ ହୋଇଲା ll
ଜୟ ଜୟ ଶଙ୍କର ଭୋଳା l (୩)

ଆହେ ମହାତପୀ ତପରେ ସନ୍ତାପି
ସହସ୍ରବରଷ ଭଙ୍ଗନୋହିଲା l
ଯୋଗଭଗ୍ନେ ପଞ୍ଚ ସାୟକ ଆସିଲା
ତୃତୀୟ ନୟନେ ଦହନ ହେଲା ll
ଜୟ ଜୟ ଶଙ୍କର ଭୋଳା l (୪)

ଆହେ ଜଟାଜୄଟ ଶିରରେ ମୁକୁଟ
ଭଗୀରଥ ଉଗ୍ରତପ କରିଲା l
ଗଙ୍ଗାପାତ ଘୋର ଦେଖାଇଲ ଶିର
ଗଙ୍ଗାଧର ତୁମ ନାମ ହୋଇଲା ll
ଜୟଜୟ ଶଙ୍କର ଭୋଳା l (୫)

ଭସ୍ମାସୁରେ ବର ଦେଲ ଭସ୍ମଗୌର
ଆଶୁତୋଷ ତୁମ୍ଭ ନାମ ରହିଲା l
ଅମୃତ ପରଷି ଶ୍ରୀବିଷ୍ଣୁ ଛଳିଲେ
ମୋହିନୀ ପଛରେ ହେଲ ବାଉଳା ll
ଜୟ ଜୟ ଶଙ୍କର ଭୋଳା l (୬)

ଆହେ ଭୂତ ପତି ଅଗତିର ଗତି
ବାସ ତୁମ୍ଭ ଭୂତପ୍ରେତଙ୍କ ମେଳା l
ପଞ୍ଚମୁଖ ପଞ୍ଚାନନ ମେଳା ସୁଖ
ପଞ୍ଚ ଅମୃତରେ ପୂଜା ହୋଇଲା ll
ଜୟ ଜୟ ଶଙ୍କର ଭୋଳା l (୭)

ଆଜି ସୋମବାରେ ଶିବଙ୍କୁ ପୁଜିଲି
ମଙ୍ଗଳଳେ ପୂଜିବି ମାଆ ମଙ୍ଗଳା l
ଆହେ ମହାଯୋଗୀ ସଂସାର ବିରାଗୀ
ବୁଲୁଅଛ ହୋଇ ଅଧା ଲଙ୍ଗଳା ll
ଜୟ ଜୟ ଶଙ୍କର ଭୋଳା l (୮)

କଠୋର ତପରେ ବରିଲେ ଶଙ୍କରେ
ପର୍ବତ ନନ୍ଦିନୀ ନବ ଛଇଳା l
ନମଃ ଶିବା ଶିବ ନମଃ ମହାଦେବ
ମହାଦାସ ତୁମ୍ଭ ଶରଣ ଗଲା ll
ଜୟ ଜୟ ଶଙ୍କର ଭୋଳା l(୯)
ତିରୀଶୂଳଧାରୀ ସାପୁଆ କେଳା ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.