ଆଜି ୧.୦୩ କୋଟି ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି

ଭୁବନେଶ୍ୱର: ପୂର୍ବ ଘୋଷଣା ଅନୁଯାୟୀ ରାଜ୍ୟ ସରକାର ଆସନ୍ତାକାଲି ସୁଭଦ୍ରା ହିତାଧିକାରୀଙ୍କୁ ୫ମ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏହି କିସ୍ତିରେ ୧,୦୩,୨୬,୧୬୨ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ହଜାର ଟଙ୍କା ଲେଖାଏଁ ପଠାଯିବ। ଏ ବାବଦରେ ହିତାଧିକାରୀଙ୍କୁ ରାଜ୍ୟ ସରକାର ୫,୧୬୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିବେ। ନୟାଗଡରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଟମ ଦବାଇ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ହଜାର ଟଙ୍କା ଲେଖାଏଁ ଛାଡିବେ।
ସୁଭଦ୍ରା କିସ୍ତି ପ୍ରଦାନ ନେଇ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୫ମ କିସ୍ତିରେ ମୋଟ ୧,୦୩,୨୬,୧୬୨ କୋଟି ମହିଳା ହିତାଧିକାରୀ ଟଙ୍କା ପାଇବେ। ୨,୨୧,୦୫୪ଜଣ ନୂଆ ହିତାଧିକାରୀ ଅଛନ୍ତି। ପ୍ରଥମକରି ଯେଉଁ ହିତାଧିକାରୀ ଟଙ୍କା ପାଇବେ ସେମାନଙ୍କୁ ଏକକାଳୀନ ୫ଟି କିସ୍ତିର ୨୫ହଜାର ଟଙ୍କା ଦିଆଯିବ। ଯେଉଁମାନଙ୍କ କାଗଜପତ୍ର ଜିଲାସ୍ତରରୁ ଆସିନାହିଁ ସେମାନଙ୍କୁ ଆଉ ଗୋଟିଏ ମାସ ପରେ କିସ୍ତି ଟଙ୍କା ମିଳିବ। ସୁଭଦ୍ରା କିସ୍ତି ଟଙ୍କା ପ୍ରଦାନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସାକ୍ଷାତକରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସଠିକ୍ ସମୟରେ ଏବଂ ସୁରୁଖୁରୁରେ ସହାୟତା ରାଶି ପହଞ୍ଚାଇବା ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିଥିଲେ। ହିତାଧିକାରୀଙ୍କ ଯାଞ୍ଚ, ଇ-କେୱାଇସି, ଆଧାର-ସଂଯୋଗୀକୃତ ବ୍ୟାଙ୍କ ଆକାଉଣ୍ଟ, ଏନ୍‌ପିସିଆଇ ମ୍ୟାପିଂ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି, ଯାହାଦ୍ୱାରା ବିନା କୌଣସି ବିଳମ୍ବରେ ଆର୍ଥିକ ସହାୟତା ପହଞ୍ଚିପାରିବ। ରାଜ୍ୟର ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣକୁ ଆଗେଇ ନେବାରେ ଏହି ୫ମ କିସ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସେପ୍ଟେମ୍ବର ୧୭ରେ ଭୁବନେଶ୍ୱରରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାର ୫ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ମୋଟ ୫୦,୦୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା। ବାର୍ଷିକ ୧୦,୦୦୦ଟଙ୍କା ହିସାବରେ ଦୁଇଟି କିସ୍ତି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି।

Comments are closed.