ଭୁବନେଶ୍ଵର : ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି। ଶିକ୍ଷକମାନେ ଶ୍ରେଣୀ ଗୃହରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବେ। ଆଗାମୀ ବର୍ଷ ସଂଶୋଧିତ ବହି ପ୍ରକାଶ କରି ପିଲାଙ୍କୁ ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି SCERT ନିର୍ଦ୍ଦେଶିକା। ସେ କହିଛନ୍ତି ଯେ,ଚଳିତ ବର୍ଷ ନୂଆ ବହି ଛପା ହେବନି , ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ । ଏଥର ଭୁଲ ହୋଇଯାଇଛି, ଡିଓମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ସାରିଛୁ ବୋଲି ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି।ଛୋଟ ପିଲାଙ୍କ ବହିରେ ଶିକ୍ଷକମାନଙ୍କୁ ସଂଶୋଧନ କରିବାକୁ କୁହାଯାଇଛି। ବଡ଼ ପିଲା ଶିକ୍ଷକଙ୍କ ସାହାଯ୍ୟରେ ବହିରେ ନିଜେ ତ୍ରୁଟି ସଂଶୋଧନ କରିବେ କହିଛନ୍ତି।
ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିର ତଦନ୍ତ ସହିତ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଉନ୍ନୟନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ସାତ ଦିନ ମଧ୍ୟରେ କମିଟି ତଦନ୍ତ କରି ରିପୋର୍ଟ ଦାଖଲ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହି ତ୍ରୁଟି ପଛରେ ଥିବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି ତ୍ରୁଟି କେଉଁସ୍ତରରେ ହେଲା, ତାହା ଉପରେ ତଦନ୍ତ କରାଯିବା ସହି ତ୍ରୁଟିଗୁଡ଼ିକର ସଂଶୋଧନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ରାଜନୀତିକରଣ କରାନଯାଉ ବୋଲି ସେ କହିଛନ୍ତି।
ଅପରପକ୍ଷେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନା କରିଛନ୍ତି।
Comments are closed.