ଧାନ ବିକ୍ରି ନ ହେବାରୁ ସମବାୟ ସମିତି ଆଗରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

0

ଭଦ୍ରକ:  ରବି ଧାନ ବିକ୍ରିକୁ ନେଇ ଦୀର୍ଘଦିନ ଧରି ହଇରାଣ ହେବା ପରେ ଜଣେ ଚାଷୀ ସମବାୟ ସମିତି ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀ ଜଣକ ହେଲେ ଧୁଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତ ଖଡିମହରା ଗ୍ରାମ ଘାଟସାହିର ଚିତ୍ତରଞ୍ଜନ ମଳିକ (୪୩)।ସୂଚନା ଅନୁଯାୟୀ, ଚିତ୍ତରଞ୍ଜନ ପ୍ରାୟ ୨ ଏକର ଜମିରେ ରବି ଧାନ ଚାଷ କରିଥିଲେ। ଚିତ୍ତରଞ୍ଜନଙ୍କ ସ୍ତ୍ରୀ ଗୀତାଞ୍ଜଳି ମଳିକଙ୍କ ନାମରେ ୨୩ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟାର୍ଗେଟ ଆସିଥିଲା। ଉତ୍ପାଦିତ ଧାନକୁ ସରକାରୀ ମଣ୍ଡି ମାଧ୍ୟମରେ ବିକ୍ରି କରିବା ପାଇଁ ସେ ବାରମ୍ବାର ବମକୁରା ସେବା ସମବାୟ ସମିତିକୁ ଯାଉଥିଲେ। ମାତ୍ର ଟାର୍ଗେଟ ନାହିଁ କହି ତାଙ୍କୁ ପ୍ରତିଥର ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଫଳରେ ଧାନ ବିକ୍ରି ନ ହେବାରୁ ସେ ଆର୍ଥିକ ସଙ୍କଟ ସହ ମାନସିକ ଚାପରେ ରହୁଥିଲେ। ଗୁରୁବାର ପୁଣିଥରେ ସମିତିକୁ ଆସି ଧାନ ବିକ୍ରି ପାଇଁ ଅନୁରୋଧ କରିଥିଲେ। ତେବେ ସମସ୍ୟାର ସମାଧାନ ନ ହେବାରୁ ହତାଶ ହୋଇ ସମିତି ପରିସରରେ ଗାମୁଛା ସାହାଯ୍ୟରେ ଝୁଲିପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଚାଷୀ ଓ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଧୁଷୁରୀ ଚିକିତ୍ସାଳୟକୁ ପଠାଇଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।ଘଟଣା ପରେ ସମବାୟ ସମିତି ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଅସନ୍ତୁଷ୍ଟ ଚାଷୀମାନେ ଧାନ କ୍ରୟ ବ୍ୟବସ୍ଥାରେ ଅବ୍ୟବସ୍ଥା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଥିଲେ। ଘଟଣା ପରେ ସମିତି କାର୍ଯ୍ୟାଳୟରେ ତାଲା ପକାଇ କର୍ମଚାରୀମାନେ ସେଠାରୁ ଚାଲିଯାଇଥିବା ଜଣାପଡ଼ିଛି।

 

Leave A Reply

Your email address will not be published.