ଉଦ୍ୟମୀ ଓଡ଼ିଶା–୨୦୨୬’ରେ ପାଳିତ ହେଲା ଛାତ୍ର ଓ ଯୁବ ଉଦ୍ୟୋଗୀ ଦିବସ: ଚାକିରି ଖୋଜନ୍ତୁ ନୁହେଁ, ଚାକିରି ସୃଷ୍ଟି କରନ୍ତୁ ବୋଲି ଅତିଥି ଦେଲେ ଆହ୍ୱାନ

‘ବାଲେଶ୍ୱର, ୧/୭ (କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), ବାଲେଶ୍ୱର ପକ୍ଷରୁ ବାମପଦାସ୍ଥିତ ନୋସି ବିଜନେସ୍ ପାର୍କଠାରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ–୨୦୨୬’ର ଚତୁର୍ଥ ଦିବସରେ ‘ଛାତ୍ର ଓ ଯୁବ ଉଦ୍ୟୋଗୀ ଦିବସ’ ପାଳିତ ହୋଇଯାଇଛି।
ଏହାର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗୀତା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସରକାରଙ୍କ ବିଭିନ୍ନ ସ୍ୱରୋଜଗାର ଓ ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ସଚେତନ କରାଇବା।
ମୁଖ୍ୟ ଅତିଥି ଭାବେ ସରକାରୀ ପଲିଟେକ୍ନିକ୍, ରେମୁଣାର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ଜେନା ଯୋଗଦେଇ ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ବଦଳରେ ଚାକିରି ସୃଷ୍ଟିକାରୀ ଉଦ୍ୟୋଗୀ ହେବାକୁ ଆହ୍ୱାନ ଜଣାଇଥିଲେ। ନୂତନ ଚିନ୍ତାଧାରା, ଦକ୍ଷତା ଓ ସରକାରୀ ସହାୟତାର ସଠିକ୍ ବ୍ୟବହାର ମାଧ୍ୟମରେ ଯୁବକମାନେ ସଫଳ ଉଦ୍ୟୋଗୀ ହୋଇପାରିବେ ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ସିପେଟ୍‌ର ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ପାଢ଼ୀ, ଡିଆଇପିଏ ଅଧିକାରୀ ମନୀଷ କୁମାର, ଜିଲ୍ଲା ମିଶନ ଶକ୍ତି ଅଧିକାରୀ କାର୍ତ୍ତିକ ଚନ୍ଦ୍ର ନାୟକ, ଓରମାସର ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସୂର୍ଯ୍ୟକାନ୍ତ ବେହେରା ଏବଂ ଭଦ୍ରକର ପୂର୍ବତନ ସହକାରୀ ଶିଳ୍ପ ଅଧିକାରୀ ଶଶୀ ଶେଖର ବେହେରା ଯୋଗଦେଇ ଉଦ୍ୟୋଗ କ୍ଷେତ୍ରର ସମ୍ଭାବନା, ଦକ୍ଷତା ବିକାଶ, ଷ୍ଟାର୍ଟଅପ୍, ସ୍ୱରୋଜଗାର ଓ ସରକାରୀ ଯୋଜନା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
ଜିଲ୍ଲା ଶିଳ୍ପ କେନ୍ଦ୍ରର ବରିଷ୍ଠ ସହକାରୀ ଶିଳ୍ପ ଅଧିକାରୀ ମମତା ପରିଡ଼ା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ସହକାରୀ ଶିଳ୍ପ ଅଧିକାରୀ ସତ୍ୟବ୍ରତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଯୁବକ-ଯୁବତୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ୟୋଗୀତା, ସ୍ୱରୋଜଗାର ଓ ଷ୍ଟାର୍ଟଅପ୍ ସମ୍ପର୍କିତ ବିଭିନ୍ନ ଦିଗରେ ଜ୍ଞାନ ଆହରଣ କରିଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ବିକାଶ ଦିଗରେ କାର୍ଯ୍ୟକ୍ରମଟି ଏକ ଫଳପ୍ରଦ ପଦକ୍ଷେପ ଭାବେ ବିବେଚିତ ହୋଇଛି।

Comments are closed.