ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ହେଉଛି ପାଣିପାଗ ପ୍ରକ୍ରିୟା । ଆଜି ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବା ସହ ୨୧ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବ। ୨୨ ତାରିଖରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସମୁଦ୍ରରୁ ବଳ ଗୋଟାଇ ଏହି ସିଷ୍ଟମ୍ ବାତ୍ୟାର ରୂପ ନେଇପାରେ ବୋଲି କିଛି ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏନେଇ ଏପର୍ଯ୍ୟନ୍ତ କୌଣସି ଆକଳନ କରିନାହିଁ।
ଗଭୀର ଅବପାତର ରୂପ ନେବା ପରେ ଏହାର ଗତିପଥ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇବ। ୨୩ ତାରିଖ ସକାଳେ ଏହା ଓଡ଼ିଶା-ଆନ୍ଧ୍ର ଉପକୂଳ ନିକଟସ୍ଥ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ନେଇ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ଅନେକ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଜୋନ୍ରେ ରଖାଯାଇଛି। ଓଡ଼ିଶା ଉପରେ ଏହାର କେତେ ପ୍ରଭାବ ପଡ଼ିବ, ସେ ନେଇ ଆଗାମୀ ସମୟରେ ଚିତ୍ର ଆହୁରି ସ୍ପଷ୍ଟ ହେବ।
Comments are closed.