ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ଗୁଡିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଡି.ଟି.ଓ.ପକ୍ଷରୁ ଦୃଢ ଦାବି

0

ଭୁବନେଶ୍ୱର ତା-୨୨.୦୬.୨୦୨୬ –  ଚଳିତ ଶିକ୍ଷାବର୍ଷରୁ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଗୁଡିକ ସଂପୂର୍ଣ୍ଣ ତୃଟିପୂର୍ଣ୍ଣ । ଏ ପର୍ଯ୍ୟନ୍ତ ଏଥିରେ ୧୭ଶହରୁ ଉର୍ଦ୍ଧ୍ବ ତୃଟି ପରିଲକ୍ଷିତ ହୋଇଛି। ଏସମସ୍ତ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର କରି ଯୁଦ୍ଧକାଳିନ ଭିତ୍ତିରେ ନୂତନ ତୃଟି ମୁକ୍ତ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଡେମୋକ୍ରାଟିକ ଟିଚ଼ର୍ସ ଅର୍ଗାନାଇଜେସନ(ଡି.ଟି. ଓ) ଓଡିଶା ରାଜ୍ୟ  କମିଟି ପକ୍ଷରୁ ଏହାର ସଭାପତି ବିଭୂତି ଭୂଷଣ ନାୟକ ଓ ସଂପାଦକ ନୃସିଂହ ଚରଣ ପଣ୍ଡା  ଦୃଢ ଦାବି କରିଛନ୍ତି ।

କେନ୍ଦ୍ର ସରକାର ଅଗଣତାନ୍ତ୍ରିକ,ଅବୈଜ୍ଞାନିକ ଏନଇପି – ୨୦୨୦କୁ କୌଣସି ଚର୍ଚ୍ଚା ଆଲୋଚନା ନକରାଇ,ଏପରିକି ପାର୍ଲିଆମେଣ୍ଟରେ ଉପସ୍ଥାପନ ନକରି ଏକ କ୍ୟାବିନେଟ୍ ନିଷ୍ପତ୍ତି ବଳରେ ଗୃହୀତ କରାଇ ସାରା ଦେଶର ଛାତ୍ର ସମାଜ ଉପରେ ଲଦି ଦେଲେ । ଠିକ୍ ସେହିଭଳି  ରାଜ୍ୟରେ ନୂତନ ଭାବେ ବିଜେପି ସରକାର ଆସିଲା ପରେ କୌଣସି ଚର୍ଚ୍ଚା ଆଲୋଚନା ନକରି, ଶିକ୍ଷକ ମାନଙ୍କ ମତାମତ ନନେଇ ଖାମଖିଆଲି ଢଙ୍ଗରେ ଅତି ତରବରିଆ ଭାବେ ରାଜ୍ୟରେ ନୂତନ ଶିକ୍ଷାନୀତି-୨୦୨୦କୁ ଦ୍ରୁତ ଲାଗୁ କରିବାର ଏକ ପଦକ୍ଷେପ ହିସାବରେ ଚଳିତ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଗୁଡିକୁ ପରିବର୍ତ୍ତନ କରିଛନ୍ତି । ବହି ଗୁଡିକୁ ଭିନ୍ନ ଭିନ୍ନ ସ୍ତରରେ ଯାଞ୍ଚ ନକରି  ସିଧାସଳଖ ଛାପି ସ୍କୁଲ ଗୁଡିକକୁ ପଠାଇ ଦେଇଛନ୍ତି। ଏହି ବହି ଗୁଡିକରେ ବ୍ୟାପକ ଭାଷାଗତ, ତଥ୍ୟଗତ ଓ ବିଚାରଗତ ତୃଟି ରହିଅଛି । ମୂଳତଃ ଏହି ପୁସ୍ତକ ଗୁଡିକରେ ଥିବା ବିଷୟବସ୍ତୁ ଗୁଡିକ ଅବୈଜ୍ଞାନିକ ଓ ଛାତ୍ରଟିର ସାମାଗ୍ରିକ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ । ଅପରନ୍ତୁ ଏହା ଶିକ୍ଷାକୁ ସାମ୍ପ୍ରଦାୟିକରଣର ଏକ ଆୟୁଧ ଭାବେ ଉପସ୍ଥାପନ କରୁଛି। ଏହା କେବଳ ତୃଟି ନୁହେଁ ଅପରନ୍ତୁ ଏକ ଅପରାଧିକ ପଦକ୍ଷେପ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଆହୁରି ଦୁଃଖଦାୟକ ଘଟଣା ଯେ ସରକାର ଏହି ତୃଟିକୁ ସ୍ୱୀକାର କରୁଥିଲେ ମଧ୍ୟ ସଙ୍ଗେ ସଙ୍ଗେ ଏହି ପୁସ୍ତକଗୁଡ଼ିକୁ ପ୍ରତ୍ୟାହର ନକରି, ଶିକ୍ଷକ ମାନେ ସଂଶୋଧନ କରି ପଢାନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ପୁସ୍ତକ ଗୁଡିକ ବଡ଼ ମଣିଷମାନଙ୍କ ନାମକୁ କଦର୍ଯ୍ୟ ଭାବେ ଉପସ୍ଥାପନ କରିଛି । ଭାଷାର ବିକୃତିକରଣ ସହ ଭୁଲ ତଥ୍ୟ ଉପସ୍ଥାପନ କରିଛି । ଏଗୁଡିକୁ ଯଥା ଶୀଘ୍ର ସଂପୂର୍ଣ୍ଣ ପ୍ରତ୍ୟାହର କରି ନିର୍ଭୁଲ ଓ ବୈଜ୍ଞାନିକ ମନନଶୀଳତା ଗଢି ତୋଳି ପାରୁଥିବା ଭଳି ବିଷୟ ବସ୍ତୁକୁ ନେଇ ନୂତନ ପୁସ୍ତକ, ଯୁଦ୍ଧକାଳୀନ ଭିତ୍ତିରେ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇ ଦେବାକୁ ଦାବି କରାଯାଇଛି। ବର୍ତ୍ତମାନ ରାଜ୍ୟରେ ପାଠପଢା କ୍ଷେତ୍ରରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହେଲା ଏବଂ ଯେଉଁ ଆର୍ଥିକ କ୍ଷତି ହେଲା ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଯେଉଁମାନେ ସେଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବା ପାଇଁ ଡି.ଟି.ଓ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମଧ୍ୟ ଦାବି କରାଯାଇଛି । ଏହାସହ ଛାତ୍ରମାନଙ୍କ ଭବିଷ୍ୟତ ସହ ଯେଭଳି ଭାବେ ଖେଳ ଖେଳାଯାଉଛି ସେଥିପାଇଁ ସରକାରଙ୍କୁ ସଂପୂର୍ଣ୍ଣ ଦାୟୀ କରାଯାଇଛି

Leave A Reply

Your email address will not be published.