ନେତାଙ୍କ ହାତ ଥିବା ଅଭିଯୋଗ, ଝାରସୁଗୁଡା ଉଦ୍ୟୋଗମାନଙ୍କର ବର୍ଜ୍ୟବସ୍ତୁ ରେଙ୍ଗାଲିରେ ସ୍ଥାନୀୟ ଲୋକଙ୍କର ଉପରେ ପଡୁଛି କୁ ପ୍ରଭାବ

ରେଙ୍ଗାଲି: ରେଙ୍ଗାଲି ଅଞ୍ଚଳ ରେ ଗଢି ଉଠିଥିବା କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ଅସମ୍ଭାଳ ହେଉଥିବା ବେଳେ ଝାରସୁଗୁଡା ରେ ଥିବା କାରଖାନାର ପାଉଁଶ ରେଙ୍ଗାଲି ଅଞ୍ଚଳ ରେ ଡମ୍ପିଂ କରାଯାଉଛି । ଏଥିପାଇଁ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି । ପରିବେଶ ପ୍ରେମୀ,ସଚେତନ ନାଗରିକ ତଥା ଜନ ସାଧାରଣମାନଙ୍କ ମଧ୍ୟରେ ଏଥିପାଇଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟା ରେ ରେଙ୍ଗାଲି ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ରେ ଛତୁ ଫୁଟିଲା ଭଲି ପ୍ରଦୁଷଣ ସୃଷ୍ଟିକାରି ଶିଳ୍ପାନୁଷ୍ଠାନ ସ୍ଥାପନ ହେଲା ପରେ ରେଙ୍ଗାଲି ଅଞ୍ଚଳ ର ଜୈବବିବିଧତା ଓ ପରିବେଶ ସନ୍ତୁଳନ ନଷ୍ଟ ହୋଇଯାଇଛି । ସାଧାରଣ ଜନତା ଏହାର ବିରୋଧ କରୁଥିବା ବେଳେ ଏଥିରେ ବଡ ବଡ ନେତାଙ୍କ ସମ୍ପୃକ୍ତି ଥିବାସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି ।

ଏଭଲି ପରିସ୍ଥିତିରେ ଝାରସୁଗୁଡା ଜିଲ୍ଲାର ଶିଳ୍ପାନୁଷ୍ଠାନ ର ଫ୍ଲାଇ ଆସ୍ ସଂପୃଜ୍ତ ଜିଲ୍ଲାରେ ଡମ୍ପିଂ କରା ନଯାଇ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଅଞ୍ଚଳ ରେ ଫ୍ଲାଇ ଆସ୍ ଡମ୍ପିଂ କରାଯିବା ଫଳରେ ରେଙ୍ଗାଲି ଅଞ୍ଚଳର ବିପର୍ଯ୍ୟସ୍ତ ପରିବେଶ ଉପରେ ଏହାର କୁ ପ୍ରଭାବ ପଡିଛି ।

ପାଉଁଶ ଡମ୍ପିଂ ବନ୍ଦ କରିବାପାଇଁ ବିଗତ ଦିନରେ ଏଥିଯୋଗୁଁ ପ୍ରଭାବିତ ହେଉଥିବା କଦଳିପିଟା,ନୁଆଁତିଲିଙ୍ଗିକେମ୍ପ,ଝରନପାଲି ଆଦି ଅଞ୍ଚଳ ର ଲୋକେ ଏକାଧିକ ଥର ଜିଲାପାଳ ଏବଂ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିପାଇଁ ବିରୋଧ ପ୍ରଦର୍ଶନ କରାଯାଇଛି । କାରଖାନାରୁ ବାହାରୁଥିବା ପାଉଁଶ ଡମ୍ପିଂ ଏଠାରେ ବନ୍ଦ ନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ରାଜପଥରେ ଯାତାୟତକୁ ବନ୍ଦ କରିବେ ବୋଲି ସ୍ଥାନୀୟ ଅଧିବାସୀ ଚେତାବନୀ ଦେଇଛନ୍ତି ।
ଝାରସୁଗୁଡା ରେ ଥିବା ବହୁ ରାଷ୍ଟ୍ରିୟ କମ୍ପାନୀର କାରଖାନା ରୁ ନିର୍ଗତ ପାଉଁଶ ପୁରୁଣା ରାଞ୍ଚିରୋଡ ଦେଇ ଗୁମଲୋଇ ଏବଂ ଗୁମଲୋଇ ରୁକଦଳିପିଟା,ନୁଆଁତିଲିଙ୍ଗିକେମ୍ପ,ଝରନପାଲି,କାଶିପାଲି,ପିତାପାଲି,ମଙ୍ଗଳପୁର, ରମ୍ପେଲାକେମ୍ପ ଦେଇ ରେଙ୍ଗାଲି କୁ ସଂଯୋଗ କରୁଥିବା ରାସ୍ତା ର ପିତାପାଲି-କାଶିପାଲି ଗ୍ରାମ ମଝି ଗଡପାଟି ଜଙ୍ଗଲ ପାଦ ଦେଶ ରେ ଖାଲି ପଡିଥିବା ପଥର କ୍ୱେରୀରେ ଡମ୍ପିଂ କରାଯାଉଛି। ଭାରିଯାନ ରେ ପାଉଁଶ ବୋଝେଇ କରାଯାଇ ମାଲ ପରିବହନ ଫଳରେ ପୁରୁଣା ରାଞ୍ଚିରୋଡ ଅନେକ ସ୍ଥାନ ରେ ଖାଲଖମା ସୃଷ୍ଟି ହୋଇଛି। ବିଶେଷତଃ ଗୁମଲୋଇ ରୁ ରେଙ୍ଗାଲି କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତିଶୋଚନୀୟ ହୋଇପଡିଛି। ଏହି ରାସ୍ତା ଉପରେ ଝାଙ୍କରପାଲି,କତରବଗା, ଟାମ୍ପରକେଲା,ସାଳଡ ଆଦି ପଞ୍ଚାୟତ ର ଜନସାଧାରଣ ଓ ସ୍କୁଲ କଲେଜ ଛାତ୍ର ଛାତ୍ରୀ ରେଙ୍ଗାଲି କୁ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ଏହା ଅଣଓସାରିଆ ସଂକିର୍ଣ ରାସ୍ତା ହୋଇଥିବା ସହିତ ଭାରିଯାନ ଚଳାଚଳ ଉପଯୋଗୀ ରାସ୍ତା ହୋଇ ନଥିବା ସତ୍ତ୍ବେ ପାଉଁଶ ବୋଝେଇ ଭାରିଯାନ ଚଳାଚଳ କରିବା ଫଳରେ ରାସ୍ତା ଅତି ଶୋଚନୀୟ ହୋଇପଡିଛି। ଅହରହ ଭାରିଯାନ ଚଳାଚଳ ଯୋଗୁଁ ଜନସାଧାରଣ ସ୍କୁଲ ଛାତ୍ର ଛାତ୍ରୀଙ୍କ ଗମନାଗମନ ରେ ସମସ୍ୟା ସୃଷ୍ଟି କରୁଛି। ପାଉଁଶ ଡମ୍ପିଂ ଯୋଗୁଁ ଅଞ୍ଚଳ ରେ ଅସହ୍ୟ ପ୍ରଦୁଷଣ ସମସ୍ୟା ଦେଖାଦେଉଛି ବୋଲି ପ୍ରଭାବିତ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ରେଙ୍ଗାଲି ଅଞ୍ଚଳ ବ୍ୟତୀତ ପୁରୁଣାରାଞ୍ଚି ରୋଡ ର ସମାସିଂହା, ଝାଙ୍କରପାଲି,କୁସୁମଡିହି,ବାରଡୁଙ୍ଗୁରୀ,ପରମାଣପୁର ସିନ୍ଦୁରପଙ୍କ ଦେଇ ପାଉଁଶ ପରିବହନ କରାଯାଇ ବିଭିନ୍ନ ସ୍ଥାନ ରେ ଡମ୍ପିଂ କରାଯାଉଥିବା ର ଅଭିଯୋଗ ହେଉଛି।

Comments are closed.