ତୁମର ଉରୁ ଭଗ୍ନହେବ

 

==============

ସଂସ୍କୃତ ମହାଭାରତରେ ଏକ ସୁନ୍ଦର କାହାଣୀ l କପଟ ପଶାରେ ପ୍ରବଞ୍ଚିତ ପାଣ୍ତବ ମାନଙ୍କ ରାଜ୍ୟ ଚ୍ୟୁତି ଓ ବନବାସ ଖବର କ୍ରମେ ଦିଗ ବିଦିଗରେ ପ୍ରଚାରିତ ହୋଇଗଲା l ଯିଏ ଶୁଣିଲା, ସିଏ ରାଜା ଧୃଷ୍ଟରାଷ୍ଟ୍ରଙ୍କ ତିରସ୍କାର କଲା l ସମ୍ବାଦ ପାଇ କୁରୁ କୁଳର ହିତାକାଙ୍କ୍ଷୀ ମହର୍ଷି ବ୍ୟାସଦେବ ଓ ମହର୍ଷି ମୈତ୍ରେୟ ହସ୍ତୀନା ଆସିଲେ l ବ୍ୟାସଦେବ ରାଜା ଧୃତରାଷ୍ଟ୍ରଙ୍କୁ କହିଲେ,”ଦ୍ୟୁତକ୍ରୀଡ଼ା ରୂପକ ଯେଉଁ ପ୍ରତାରଣା ହେଲା, ତାହାର ପରିଣାମ ଏ କୁରୁକୁଳ ପାଇଁ ବିଷମୟ ହେବ l ପୁଣି ମୁଁ ଶୁଣିବାକୁ ପାଉଛି ଘୋର ଅରଣ୍ୟରେ ବାସ କରୁଥିବା ପାଣ୍ଡବମାନଙ୍କୁ ଦୂର୍ଯୋଧନ ଆକ୍ରମଣ କରିବାପାଇଁ ଚାହେଁ l ତୁମେ ଭୀଷ୍ମ, ଦ୍ରୋଣ ବିଦୁର ଥାଉ ଥାଉ ଏ ସବୁ ହେଉଛି କିପରି l ଯଥା ଶୀଘ୍ର ତୁମେ ପାଣ୍ତବ ମାନଙ୍କୁ ଆଣି, ତାଙ୍କ ରାଜ୍ୟ ପ୍ରତ୍ୟର୍ପଣ କର l ତୁମର ଶହେ ପୁତ୍ର ଅଛନ୍ତି,କିନ୍ତୁ ପଣ୍ଡୁଙ୍କର ପାଞ୍ଚୋଟି ପୁତ୍ର l ସେମାନେ ଆଜନ୍ମ ଦୁଃଖୀ, ସେମାନେ କିପରି ଜୀବନ ଧାରଣ କରି ସୁଖରେ ରହିବେ, ପିତୃବ୍ୟ ହିସାବରେ ତାହା ଦେଖିବା ତୁମର କର୍ତ୍ତବ୍ୟ ନୁହେଁ କି ?

ଏହିପରି, ମହର୍ଷି ବ୍ୟାସଦେବ ଧୃତରାଷ୍ଟ୍ରଙ୍କୁ ବହୁତ ବୁଝାଇଲେ l କିନ୍ତୁ ସେ ସବୁ ବୁଝି ନ ବୁଝିଲା ପରି କହିଲେ,ଆପଣ ନିଜେ ଯାଇ ପୁତ୍ର ଦୁର୍ଯ୍ୟୋଧନକୁ ବୁଝାନ୍ତୁ, ସିଏ ମୋ ବଶରେନାହିଁ l ବ୍ୟଥିତ ହୋଇ ବ୍ୟାସଦେବ କହିଲେ, ଦୁର୍ଯ୍ୟୋଧନ ଯଦି କୌଣସି ଉପଦେଶ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି, ତେବେ ସେପରି ଉପଦେଶ ଦେବା ପାଇଁ ବ୍ୟକ୍ତିଙ୍କ ଅଭାବ ନାହିଁ l ଖୁବ୍ ନିକଟରେ ମୈତ୍ରେୟ ମୁନି ହସ୍ତିନାକୁ ପଦାର୍ପଣ କରିବେ l ସେ ଯେପରି କହିବେ ତୁମେ ସେହିପରି କାର୍ଯ୍ଯ କରିବ l ମୁନି ଯଦି ଅପମାନିତ ହୁଅନ୍ତି ତେବେ ପରିଣାମ ଦୁଃଖମୟ ହେବ l

ଏପରି କହି ମହର୍ଷି ବ୍ୟାସ ବିଦାୟ ନେଲେ l ଅଳ୍ପ ସମୟ ପରେ ମୁନି ମୈତ୍ରେୟ ଆସି ପହଞ୍ଚିଗଲେ l ସେ କାମ୍ୟକବନରେ ଅତି ଦୁଃଖରେ କାଳାତିପାତ କରୁଥିବା ପାଣ୍ଡବ ମାନଙ୍କୁ ଦେଖିଆସି ଥାନ୍ତି l ମୁନି ଉପସ୍ଥିତ ହେବା ମାତ୍ରେ, ରାଜା ଧୃତରାଷ୍ଟ୍ର ତାଙ୍କର ଯଥୋଚିତ ସମ୍ମାନକଲେ ଓ ବିନୟହୋଇ ପାଣ୍ଡବ ମାନେ କିପରି ଅଛନ୍ତି ବୋଲି ପଚାରିଲେ l ମହର୍ଷି କହିଲେ, ତୀର୍ଥ ଯାତ୍ରା ଉଦ୍ଦେଶ୍ୟରେ ମୁଁ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କରୁଥିଲା ବେଳେ ଜଟା ଓ ମୃଗଚର୍ମ ପରିହିତ ଦୀନହୀନ ପାଣ୍ଡବ ମନଙ୍କୁ ଦେଖି ବିସ୍ମିତ ହେଲି l ତାଙ୍କଠାରୁ ଘଟି ଯାଇଥିବ ସମସ୍ତ ଘଟଣା ମଧ୍ୟ ଶୁଣିଆସିଲି l ଆପଣ ଏଵଂ ଭୀଷ୍ମ ଥାଉଁଥାଉଁ ଏହା ହେଲା କିପରି l ଆପଣ ମାନଙ୍କ ହିତରେ ମୁଁ କିଛି ଉପଦେଶ ଦେବାକୁ ଏଠାକୁ ଆସିଛି l ଏହାପରେ, ମହର୍ଷି ଦୁର୍ଯ୍ୟୋଧନକୁ ଚାହିଁ କହିଲେ, ତୁମେ ଧୃତରାଷ୍ଟ୍ରଙ୍କ ଜ୍ୟେଷ୍ଠପୁତ୍ର, କୁରୁ ସାମ୍ରାଜ୍ୟର ଉତ୍ତରାଧିକାରୀ l ତୁମେ ପ୍ରାଜ୍ଞ ଏବଂ ବୀର ଯୋଦ୍ଧା ରୂପେ ତୁମର ଖ୍ୟାତିଅଛି l ନିଜର ସ୍ୱଜନ ମାନଙ୍କ ସହ ନିରନ୍ତର ବିବାଦ ତୁମ ପକ୍ଷେ ଆଦୌ ଶୋଭା ପାଉନାହିଁ l ପାଣ୍ଡବ ମାନଙ୍କୁ ସାମାନ୍ୟ ମନେ କର ନାହିଁ, ସେମାନେ ଧାର୍ମିକ ଓ ଅମିତ ବିକ୍ରମଶାଳୀ l ପୁଣି ପାଞ୍ଚାଳରାଜ, ଦ୍ରୁପଦ ତାଙ୍କର ବନ୍ଧୁ l ଶ୍ରୀକୃଷ୍ଣ ତାଙ୍କ ସଖା l ତେଣୁ ତୁମେ ଶୀଘ୍ର ସେମାନଙ୍କ ପ୍ରତି ବୈରତା ପରିହାର କର l ଶୀଘ୍ର ସେମାନଙ୍କ ସହ ବନ୍ଧୁତା ସ୍ଥାପନ କର l  ମତ୍ତଗର୍ବୀ ଦୁର୍ଯ୍ୟୋଧନ, ସର୍ଵପୂଜ୍ୟ ଋଷିଙ୍କୁ ଶୁଣିବ କଅଣ ଓଲଟି ଉପହାସ କଲା l ଅଟ୍ଟହାସ୍ୟ କରି ସେ ଜଙ୍ଘରେ ହାତକୁ ବାଡ଼େଇ ଗୋଡ଼ରେ ଭୁଇଁକୁ ଚିରିବାକୁ ଲାଗିଲା l ରାଗରେ ମୈତ୍ରେୟ ମୁନୀଙ୍କ ମୁଖ ଲାଲ ହୋଇଗଲା l ସେ ସଭାସ୍ଥଳକୁ କମ୍ପିତ କରି ଅନ୍ଧବଳା ଦୁର୍ଯ୍ୟୋଧନଙ୍କୁ ଅଭିଶାପ ଦେଲେ, ତୁମେ ଅହଙ୍କାରବଶରେ ଯେପରି ଅଶୋଭନୀୟ ଆଚରଣ ଦେଖାଇଲ ତାହାର ପ୍ରତିଫଳ ଅଚିରେ ତୁମେ ଭୋଗକରିବ l ପାଣ୍ଡବମାନଙ୍କ ସହ ତୁମର ଅନୁଚିତ ବିବାଦ ଓ ବିଦ୍ୱେଷ ଯୋଗୁଁ ଏବେ ଯେଉଁ ମହାଯୁଦ୍ଧ ହେବା ନିଶ୍ଚିନ୍ତ ହୋଇ ପଡ଼ିଛି ସେଥିରେ ମହାବଳୀ ଭୀମ ଗଦାଘାତ ଦ୍ଵାରା ତୁମର ସେହି ଊରୁ ଭଗ୍ନ କରିବ l ଧୃତରାଷ୍ଟ୍ର ମୈତ୍ରେୟମୁନିଙ୍କ ପାଦତଳେ ପଡ଼ିଯାଇ କ୍ରୋଧ ସମ୍ବରଣ କରିବାକୁ ବହୁ ଅନୁନୟ କଲେ l ମୈତ୍ରେୟ କହିଲେ,ଧୃତରାଷ୍ଟ୍ର ! ଯଦି ତୁମର ଏହି ଅହଙ୍କାରୀ ପୁତ୍ର ପାଣ୍ଡବମାନଙ୍କ ସହ ସଖ୍ୟ ଭାବ ସ୍ଥାପନ କରି ଶାନ୍ତିରେ ରହେ ତେବେ ମୋର ଏହି ଅଭିଶାପ ଫଳବତୀ ହେବନାହିଁ, ଅନ୍ୟଥା ମୋର ଏ ବାକ୍ୟ ଫେରିବାର ନୁହେଁ lଝିମିଟି ଖେଳରୁ, ଶେଷରେ କୁରୁକ୍ଷେତ୍ରରେ ଅଠର ଦିନର ମହାଭାରତ ଯୁଦ୍ଧହେଲା l କୌରବ ପକ୍ଷର ସବୁ ଯୋଦ୍ଧା ରଣଭୂମିରେ ମରି ଶୋଇଲେ l ପ୍ରାଣ ଭୟରେ ଭୟାର୍ତ୍ତ, ଦୁର୍ଯ୍ୟୋଧନ ବ୍ୟାସ ସରୋବର ମଧ୍ୟରେ ଯାଇ ଲୁଚିଲା l ମରଣକାଳେ ନିଦ୍ରାଗଲେ ଯମକି ଛାଡ଼ିଦେବ ଭଲେ l ପାଣ୍ଡବ ମାନେ ଖୋଜି ଖୋଜି ଯାଇ ବ୍ୟାସ ସରୋବର ନିକଟରେ ପହଞ୍ଚି ଗଲେ l କୂଳରେ ଠିଆ ହୋଇ ବୃକୋଦର ପ୍ରଚଣ୍ଡ ସିଂହନାଦକରି ଉଚ୍ଚସ୍ଵରରେ ତାକୁ ଧିକ୍କାରକଲେ l ଲକ୍ଷ୍ମୀଙ୍କ କୋଳରେ ଆଶ୍ରୟନେଇଥିବା ଦୂର୍ଯୋଧନ ଆଉ ସମ୍ଭାଳି ନପାରି, ଉପରକୁ ଉଠି ଆସିଲା ଓ ଭୀମଙ୍କ ସହିତ ତା’ର ଭୀଷଣ ଗଦାଯୁଦ୍ଧ ହେଲା l ଏତିକିବେଳେ, ଭଗଵାନ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଭୀମ ବଜ୍ର ଗଦା ପ୍ରହାରରେ ମାନି ଦୂର୍ଯ୍ୟୋଧନର ଊରୂ ଭଗ୍ନ କରି ତାକୁ ଭୂପତିତ କଲେ l ଏହିପରି ମୈତ୍ରେୟ ମୁନିଙ୍କ ଅଭିଶାପ ସତ୍ୟ ହେଲା l

🙏🙏🙏

ଅର୍ଜୁନୀ

————

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧

Comments are closed.