ଶ୍ରୀଯମୁନାଷ୍ଟକଂ

ଶ୍ରୀଯମୁନାଷ୍ଟକଂ
================
ମୂଳ ସଂସ୍କୃତ ରଚନା – ଶ୍ରୀବଲ୍ଲଭାଚାର୍ଯ୍ୟ
ଭାବାନୁବାଦ – ଅର୍ଜୁନୀ ଚରଣ ବେହେରା
(୧)
ନମାମୀ ଯମୁନା ଦେବୀ ସର୍ଵ ସିଦ୍ଧିପ୍ରଦେ l
ମୁରାରୀ ପଦ ପଙ୍କଜ ରେଣୁ ବହୁ ହୃଦେ ll
ପତ୍ରପୁଷ୍ପେ ରମଣୀୟ ତୋ ତୀର କାନନ l
ମନ୍ଦ ମନ୍ଦ ଗନ୍ଧ ବହେ,ବାରି ସୁଶୋଭନ ll
ସୁରାସୁର ପୂଜ୍ୟା ମାତା ସ୍ମରପିତା ପ୍ରୀୟା l
ନମାମୀ ଯମୁନା ମାତେ ଅତି ରମଣୀୟା ll
(୨)
ଉନ୍ନତ ଗିରି କନ୍ଦରୁ ମହୋଲ୍ଲାସେ ଆସି l
ପ୍ରକଟହୋଇଲୁ ମାତେ କଳୁଷ ବିନାଶି ll
କଳିନ୍ଦଗିରି ମସ୍ତକେ ମନ୍ଦ ମୋଦେ ଗତି l
ଦନ୍ତୁରଘୋଷ ବନ୍ଧୁର ଶୈଳଶେଯ କାଟି ll
ମୁକୁନ୍ଦେ ରତି ବର୍ଦ୍ଧିନୀ ପଦ୍ମ ବନ୍ଧୁ ସୂତେ l
ଜୟତି ଜୟତି ଜୟ ମା’ଯମୁନା ମାତେ ll
(୩)
ଭୁବନପାବନୀ ମାତେ ସ୍ଵର୍ଗୁ ଅବତରୀ l
ତଟରେ କ୍ରୀଡ଼ନ୍ତି ଶୁକ ମୟୂର ମୟୂରୀ ll
ତରଙ୍ଗ କଙ୍କଣ ବକ୍ଷେ ହଂସ ହଂସରାଳି l
ବାଲୁକାରାଶି ବକ୍ଷରେ ଯଥା ମୁକ୍ତାବଳୀ ll
ତଟ ତୋ ସୁନ୍ଦର ମାତ ନିତମ୍ବ ପରାୟେ l
ନମାମି ନମାମି ମାତ ନମଃ କୃଷ୍ଣପ୍ରୀୟେ ll
(୪)
ଅନନ୍ତ ଗୁଣେ ଭୁଷିତେ ନମସ୍ତେ ଗିରିଜା l
ସୂର ତରଙ୍ଗିଣୀ ଶିବ ବିରଞ୍ଚିରେ ପୁଜ୍ୟା ll
ଧ୍ରୁବ ପରାଶରେ ଭକ୍ତେ ଅଭୀଷ୍ଟଦାୟିନୀ l
କୃଷ୍ଣପ୍ରିୟେ ଶ୍ରୀଯମୁନେ ଶିରି ବିବର୍ଦ୍ଧିନୀ ll
ଗୋପଗୋପି ପରିବୃତ୍ତ ମଥୁରା ନିକଟେ l
କୃପା କର କୃପାମୟୀ କୃପା ଜଳଧିତେ ll
(୫)
ନମସ୍ତେ ଯମୁନେ ତୋ’ର ଚରିତ ଅଦ୍ଭୁତ l
ଯମଯାତନା ପଳାଇ ପାନେ ପୟୋମୃତ ll
ବଦନ୍ତି ଅଜ୍ଞାନୀ ତୋତେ ଯମଙ୍କ ଭଗିନୀ l
ଗୋବିନ୍ଦ ଲଭିଲେ ପୂଜି ବ୍ରଜର କାମିନୀ ll
ପୁଜନ୍ତି ମାଆ ଯମୁନେ, ହରିଭକ୍ତ ଯେତେ l
ନମଃ ନମଃ ହରିପ୍ରିୟେ ନମସ୍ତେ ନମସ୍ତେ ll
(୬)
ନମାମି ଯମୁନେ କାଙ୍କ୍ଷେ ସାନ୍ନିଧ୍ୟ ମା ତବ l
ମୁରାରୀ ଅତି ଦୁର୍ଲ୍ଲଭ, ପ୍ରୀୟ ଶ୍ରୀମୁକୁନ୍ଦ ll
ପୂତ ସଲିଳା ସଙ୍ଗମା ସୁର ଧୁନୀ ସଙ୍ଗେ l
କଳ ନିନାଦିନୀ ମାତେ ତରଳ ତରଙ୍ଗେ ll
କୀରତି ଗାଇଲେ ମାତ ପୁଷ୍ଟିମାର୍ଗିମାନେ l
ପୁଷ୍ଟି କର ମନୋବାଞ୍ଛା ନମାମି ଯମୁନେ ll
(୭)
କମଳା ସପତ୍ନୀ ଯେଣୁ ମାଆ ତୋର ସ୍ତୁତି l
ଐଶ୍ୱର୍ଯ୍ୟ ଆକାଂକ୍ଷୀ ମାନେ ସ୍ତୁତି ନକରନ୍ତି ll
ମାତର ତୋର ସ୍ତୁତିରେ ହରି ସେବା ଲାଭ l
ଗୋପିଏ ଲଭିଲେ ହରି ଯଥା ଗୋପିଭାବ ll
ଗାତ୍ର ଶୁଦ୍ଧି, ଚିତ୍ତ ଶୁଦ୍ଧି ତୋ ପୂତ ବାରିରେ l
ନମାମି ଶ୍ରୀହରି ପ୍ରୀୟେ ଶ୍ରୀହରି ପୟରେ ll
(୮)
ତବ ଅଷ୍ଟକଂ ପଠନେ ସୂରାସୁର, ନର l
ସର୍ଵ ଦୂଷଣ, ଦୁରିତ କ୍ଷଣେ ହୁଏ ଦୂର ll
ସର୍ଵସିଦ୍ଧି ଲାଭ, ଲାଭ ମୁକୁନ୍ଦରେ ପ୍ରିତି l
ସର୍ଵ ବିଜୟ ହୁଅଇ, ରିପୁ ଦୁରେ ଯାନ୍ତି ll
ନମାମି ଯମୁନା ଦେବୀ ନମାମି ନମାମି l
ଯମୁନାଷ୍ଟକ କହିଲେ ଶ୍ରୀବଲ୍ଲଭ ସ୍ବାମୀ ll

Comments are closed.