ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ପଶ୍ଚିମ ବଙ୍ଗରେ ସ୍ୱତନ୍ତ୍ର ତାଲିମ୍ ଶିବିର

ଯୋଗ ଶିକ୍ଷକ ଓ ସ୍ୱେଚ୍ଛାସେବୀଙ୍କୁ ଦିଆଗଲା ପ୍ରଶିକ୍ଷଣ

କଲକାତା(୯/୬): ଆସନ୍ତା ଜୁନ୍ ୨୧ ତାରିଖରେ ପାଳନ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬କୁ ସଫଳ ଓ ବ୍ୟାପକ ଭାବେ ଆୟୋଜନ କରିବା ଲକ୍ଷ୍ୟରେ ପଶ୍ଚିମ ବଙ୍ଗର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଗ ଅଭ୍ୟାସ ଓ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୋଗ ଶିକ୍ଷକ, ପ୍ରଶିକ୍ଷକ ଏବଂ ସ୍ୱେଚ୍ଛାସେବୀମାନେ ଯୋଗଦେଇ ଯୋଗାଭ୍ୟାସର ନୂତନ କୌଶଳ ଓ ନିର୍ଦ୍ଦେଶିକା ସମ୍ପର୍କରେ ତାଲିମ୍ ଗ୍ରହଣ କରିଥିଲେ।
ଶିବିରରେ ଯୋଗର ଶାରୀରିକ ଓ ମାନସିକ ଉପକାରିତା, ସଠିକ୍ ଯୋଗାସନ ପ୍ରଣାଳୀ, ଶ୍ୱାସ-ପ୍ରଶ୍ୱାସ ନିୟନ୍ତ୍ରଣ ଓ ସାମୂହିକ ଯୋଗ କାର୍ଯ୍ୟକ୍ରମ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପ୍ରଶିକ୍ଷକମାନେ ଯୋଗ ଦିବସ ଅବସରରେ ରାଜ୍ୟବ୍ୟାପୀ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଆବଶ୍ୟକ ମାର୍ଗଦର୍ଶନ ଦେଇଥିଲେ।


ଆୟୁଷ ବିଭାଗର ଅଧିକାରୀମାନଙ୍କ କହିବା ଅନୁଯାୟୀ, ଯୋଗକୁ ଜନସାଧାରଣଙ୍କ ଦୈନନ୍ଦିନ ଜୀବନଶୈଳୀର ଅଂଶ କରିବା ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ହେଉଛି ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ଆଗାମୀ ଅନ୍ତର୍ଜାତୀୟ ଯୋଗ ଦିବସରେ ବିପୁଳ ସଂଖ୍ୟକ ଲୋକଙ୍କ ସହଭାଗିତା ନିଶ୍ଚିତ କରିବା ପାଇଁ ଏପରି ପ୍ରଶିକ୍ଷଣ ଶିବିର ବେଶ ସହାୟକ ହେବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ରିପୋର୍ଟ: ସନାତନ ମହାକୁଡ଼।

Comments are closed.