ଭୁବନେଶ୍ବର : ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ପାଇଁ ଗୁରୁବାର ଓଡ଼ିଶା ବିଧାନସଭାର ଏକଦିବସୀୟ ସ୍ବତନ୍ତ୍ର ଅଧିବେଶନ ବସିବ। ପୂର୍ବାହ୍ଣ ୧୧ଟାରୁ ଗୃହକାର୍ଯ୍ୟ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭ଟାରେ ସାରିବାକୁ ସମୟ ନିର୍ଦ୍ଧାରଣ ହୋଇଛି। ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ପୂର୍ବରୁ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡାକିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଅଛି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ ଧୂଆଁବାଣ ସରକାର କହି କଟାକ୍ଷ କରିଛନ୍ତି। ସେପଟେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପାଲଟା ନିଶାଣ କରି କହିଛନ୍ତି, ବିରୋଧୀଙ୍କ ଅସଲମୁଖା ଖୋଲିଯାଇଛି।
ବିରୋଧୀ ଦଳ ଉପନେତା ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ସ୍ବତନ୍ତ୍ର ଅଧିବେଶନରେ ସରକାର କିଛି ନିର୍ଦିଷ୍ଟ ବିଧେୟକ କି କାର୍ଯ୍ୟକ୍ରମ
ରଖିନାହାନ୍ତି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସରକାର ଗୋଟିଏ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି। ଯଦି କୌଣସି ବିଷୟରେ ଆଲୋଚନା କରିବାର ଅଛି, ତେବେ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ନ ଡାକି ଜୟଦେବ ଭବନରେ ଆଲୋଚନା କରାଯାଇ ପାରିଥାନ୍ତା। ମହିଳା ସଂରକ୍ଷଣ ବିଧେୟକ ନାମରେ ବିରୋଧୀଙ୍କୁ ନିନ୍ଦିତ ଓ ଅପମାନିତ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଭାରତବର୍ଷର ମହିଳାଙ୍କୁ ଭ୍ରମିତ କରି ରାଜନୈତିକ ଫାଇଦା ନେବାକୁ ବସିଛନ୍ତି। ୨୦୨୩ରେ ସଂସଦରେ ମହିଳା ସଂରକ୍ଷଣ ବିଧେୟକ ପାରିତ ହୋଇଛି। ବିଜେଡି ସମେତ ଅନ୍ୟ ସବୁ ବିରୋଧୀ ଦଳ ସମର୍ଥନ କରିଥିଲେ। କିନ୍ତୁ ସରକାର ଏହାକୁ କାହିଁକି ତୁରନ୍ତ କାର୍ଯ୍ୟକାରୀ କଲେନାହିଁ ? ସରକାର ମହିଳା ସଂରକ୍ଷଣକୁ ରାଜନୈତିକ ଦୃଷ୍ଟିରେ ଦେଖୁଛନ୍ତି। ବିଧାନସଭାକୁ ଆମେ ସମ୍ମାନ ଦେଉ, ତେଣୁ ଆମେ ଯିବୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି, ମହିଳା ସଂରକ୍ଷଣ ବିଧେୟକ ୨୦୨୩ରେ କଂଗ୍ରେସ ସମର୍ଥନରେ ସଂସଦରେ ପାରିତ ହୋଇଥିଲା। ଗାଁ ଗହଳିର ଲୋକେ ମଧ୍ୟ ଏ କଥା ଜାଣିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ତାହା କାର୍ଯ୍ୟକାରୀ କଲେ ନାହିଁ। କିଛି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏବେ ସଂସଦରେ ମହିଳା ସଂରକ୍ଷଣ ବିଧେୟକ ଆଣିଥିଲେ। ଶାସକ ଦଳର କିଛି ବିଧାୟକ ଗୃହରେ ଖାଲି ପାଟି କରନ୍ତି। ଏହି ସ୍ବତନ୍ତ୍ର ଅଧିବେଶନରେ ସେମାନଙ୍କ ଦ୍ବାରା ନିନ୍ଦା ପ୍ରସ୍ତାବ ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି। କିନ୍ତୁ ବିରୋଧୀ ମଧ୍ୟ ଶାସକ ଦଳ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବେ। ବିଜେପିର ପ୍ରଚାର ପ୍ରସାର କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡାକୁଛନ୍ତି। ଏ ସରକାର କେବଳ ଧୂଆଁବାଣ ସରକାର ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିରୋଧୀଙ୍କୁ ଜବାବ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ବିରୋଧୀ ମହିଳାଙ୍କ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ଏ କଥା ଓଡ଼ିଶାର ଜନସାଧାରଣ ବୁଝି ସାରିଲେଣି। ମହିଳା ସଂରକ୍ଷଣ ବିଧେୟକ ପାରିତ ହୋଇଥିଲେ ବିଧାନସଭା ଓ ସଂସଦରେ ମହିଳା ପ୍ରତିନିଧିତ୍ବ ବଢ଼ିଥାନ୍ତା। ହେଲେ ବିରୋଧୀ ଏହା ହେବାକୁ ଦେଲେ ନାହିଁ। ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ମହିଳାଙ୍କୁ ଠକି ଭୋଟ ନେଉଥିଲେ, ଯାହାର ଅସଲମୁଖା ଏବେ ଖୋଲି ଯାଇଛି। ମହିଳା ସଂରକ୍ଷଣ ବିଧେୟକକୁ ବିଜେଡି ଚାହିଁଥିଲେ ସମର୍ଥନ କରିପାରିଥାନ୍ତା, କିନ୍ତୁ ବିଜେଡି ତାହା କଲାନାହିଁ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post
Comments are closed.