ସୋନପୁର ଗଡଜାତ ତଥା ପଞ୍ଚରା ଅଞ୍ଚଳପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ।

ସୁବର୍ଣ୍ଣପୁର– ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ସଜବାଜ ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ପର୍ବ ପାଳିତ ହୋଇ ଆସୁଛି ା ସେହିପରି ସୁବର୍ଣ୍ଣପୁର ଗଡଜାତ ତଥା ପଞ୍ଚରା ଅଂଚଳ ପାଇଁ ଏବର୍ଷ ପଣ୍ଡିତ ମହାସଭା ସ୍ଥାନିୟ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ବସି ଆଗାମୀ ନୂଆଁଖାଇ ଲଗ୍ନ ସ୍ଥିର କରିଛନ୍ତି ପଣ୍ଡିତ ରାଜେନ୍ଦ୍ର ମହାପାତ୍ର । ରାଜା ରାଜୁଡ଼ା ଅମଳରୁ ପାରମ୍ପାରିକ ବିଧି ବିଧାନରେ ନିର୍ଦ୍ଧାରିତ ହୋଇ ଆସୁଛି ଏହି ନୂଆଁଖାଇ ଲଗ୍ନ । ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖ ଗୁରୁବାର ଦିନ ଘ.୧୦.୦୭ମି. ରୁ ଘ.୧୦.୨୧ମି. ମଧ୍ୟେ ତୁଳା ଲଗ୍ନରେ ନୂଆଁଖାଇ ଲଗ୍ନ ସ୍ଥିର ହୋଇଛି । ସେହିପରି ସକାଳ ୮ ଟା ୨୦ ମିରୁ ୯ ଟା ୨୦ ମି ମଧ୍ୟେ ମା ସୁରେଶ୍ୱରୀଙ୍କ ପାଇଁ ପାହୁର ଯାତ୍ରା ବାହାରିବ । କାହିଁ କେତେ ଦିନରୁ ପୁରୁଣା ସୋନପୁର ଗଡ଼ଜାତ ରାଜ୍ୟର ନୁଆଖାଇ ପାଇଁ ଏହି ଲଗ୍ନ ପରମ୍ପରା ଚାଲିଆସିଛି ଆଜିଯାଏଁ । ସୋନପୁରର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କୁ ନେଇ ଜ୍ୟୋତିଷି ଶାସ୍ତ୍ର ଅନୁସାରେ ଗଣନା କରାଯାଏ ତିଥି ଓ ସମୟ । ପଣ୍ଡିତମାନଙ୍କର ନିର୍ଦ୍ଧାରିତ ସମୟରେ ମାଁ ସୁରେଶ୍ୱରୀଙ୍କ ପାଖରେ ନୂଆଁ ଲାଗିସାରିବା ପରେ ନିଜ ନିଜ ଘରେ ଥିବା ଦେବତାଙ୍କୁ ପୂଜା କରାଯାଇ ନୂଆଁ ଖିଆ ଯାଇଥାଏ । ଏହି ଲଗ୍ନକୁ ନେଇ ସାରା ସୋନପୁର ଗଡ଼ଜାତ ଅଂଚଳରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ ।

Comments are closed.