ବାଲେଶ୍ୱର, ୧୫ ଅକ୍ଟୋବର(କୃଷ୍ଣ କୁମାର ମହାନ୍ତି): ଶିଶୁ ଶ୍ରମ ଉଚ୍ଛେଦ ସହ ବିଦ୍ୟାଳୟରୁ ପାଠପଢ଼ା ଅଧାରୁ ଛାଡ଼ୁଥିବା ପିଲାଙ୍କୁ ପୁନର୍ବାର ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଉପରେ ଗୁରୁତ୍ୱାରୋପ କରି ମହାବୀର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନ ଶିକ୍ଷୟିତ୍ରୀ ସୁରମା ନନ୍ଦ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ଯୋଗଦେଇ ସହକାରୀ ଶ୍ରମ ଅଧିକାରୀ ରତ୍ନାକର ମଲ୍ଲିକ ଶିଶୁ ଶ୍ରମ ନିରାକରଣ ଓ ବିଦ୍ୟାଳୟରୁ ପିଲାଙ୍କ ପାଠପଢ଼ା ଛାଡ଼ିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଛାଡ଼ିଥିବା ପିଲାମାନଙ୍କୁ ଚିହ୍ନଟ କରି ପୁନର୍ବାର ସ୍କୁଲକୁ ଫେରାଇ ଆଣିବା ସହ ଶିଶୁ ଶ୍ରମର କୁପରିଣାମ ସମ୍ପର୍କରେ ଅଭିଭାବକ ଓ ସାଧାରଣ ଲୋକଙ୍କୁ ସଚେତନ କରିବା ଜରୁରୀ ବୋଲି ସେ କହିଥିଲେ।
ପ୍ରତ୍ୟେକ ଶିଶୁଙ୍କ ଶିକ୍ଷା ଅଧିକାରର ସୁରକ୍ଷା ସହ ସେମାନଙ୍କୁ ଏକ ସୁରକ୍ଷିତ ଓ ଅନୁକୂଳ ପରିବେଶରେ ଶିକ୍ଷାଦାନ ସୁନିଶ୍ଚିତ କରିବା ପାଇଁ ବିଦ୍ୟାଳୟ, ଅଭିଭାବକ ଓ ସମାଜର ସମସ୍ତଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
ବୈଠକରେ ଶିକ୍ଷୟିତ୍ରୀ ଇନ୍ଦୁମତୀ ପଣ୍ଡା, ରତିଶ କୁମାର ଦାସ ଏବଂ ଶିଶୁ ଶ୍ରମ ବିରୋଧୀ ଅଭିଯାନ (ସିଏସିଏଲ୍)ର ଜିଲ୍ଲା ଆବାହକ ଉବାଚକ ମହାନ୍ତି ଉପସ୍ଥିତ ଥିଲେ। ଶିଶୁ ଶ୍ରମମୁକ୍ତ ସମାଜ ଗଠନ ଓ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ସୁଯୋଗ ଦେବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଅପରିହାର୍ଯ୍ୟ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।