ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ଛାତ୍ରୀଙ୍କ ପାଇଁ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ

0
ଭୁବନେଶ୍ୱର, ୨୬ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକୋତ୍ତର ଛାତ୍ରୀମାନଙ୍କ ପାଇଁ ଅଗଷ୍ଟ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି।
ଛାତ୍ରୀମାନଙ୍କ ମଧ୍ୟରେ ସୁରକ୍ଷା ସଚେତନତା, ମାନସିକ ଦୃଢ଼ତା ଓ ଶାରୀରିକ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। ପ୍ରତିଦିନ ପ୍ରାୟ ୧୦୦ ଜଣ ଛାତ୍ରୀ ଦୁଇଟି ବ୍ୟାଚ୍‌ରେ ପ୍ରଶିକ୍ଷଣ ନେଇଥିଲେ। ସକାଳ ଓ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରଶିକ୍ଷଣ ଅଧିବେଶନ ଗୁଡ଼ିକରେ ୪ ଜଣ ବିଶେଷଜ୍ଞ ପ୍ରଶିକ୍ଷକ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳ ଶିଖାଇଥିଲେ।
ପ୍ରଶିକ୍ଷଣ ସମୟରେ ବିପଦପୂର୍ଣ୍ଣ ପରିସ୍ଥିତିରୁ ନିଜକୁ ସୁରକ୍ଷିତ ଭାବେ ବାହାର କରିବାର କୌଶଳ, ସମ୍ଭାବ୍ୟ ବିପଦ ଚିହ୍ନଟ ଓ ଆପତ୍କାଳୀନ ସମୟରେ ତୁରନ୍ତ ଆତ୍ମରକ୍ଷାମୂଳକ ପଦକ୍ଷେପ ନେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ କହିଥିଲେ ଯେ, ମହିଳା ସଶକ୍ତିକରଣ ଓ ସୁରକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଆଗକୁ ମଧ୍ୟ ଛାତ୍ରୀମାନଙ୍କୁ ଅର୍ଥପୂର୍ଣ୍ଣ ମଞ୍ଚ ଓ ସୁଯୋଗ ପ୍ରଦାନ କରିବ। ସେ କେତେକ ପ୍ରଶିକ୍ଷଣ ଅଧିବେଶନ ପରିଦର୍ଶନ କରିବା ସହ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମର ଉଦ୍‌ଯାପନୀ ଅବସରରେ ପ୍ରଶିକ୍ଷକ ଓ ଛାତ୍ରୀମାନେ ଆତ୍ମରକ୍ଷା କୌଶଳର ଲାଇଭ୍ ପ୍ରଦର୍ଶନ କରିଥିଲେ। ଏଥିରେ ଛଅ ଦିନିଆ ପ୍ରଶିକ୍ଷଣ ସମୟରେ ଶିଖିଥିବା ବିଭିନ୍ନ କୌଶଳ ପ୍ରଦର୍ଶିତ ହୋଇଥିଲା।
Leave A Reply

Your email address will not be published.