ଦୀର୍ଘ ୭୦ ବର୍ଷ ପରେ ଭାରତ ଦେଖିଛି ଚିତାବାଘ ।

ଦକ୍ଷିଣ ଆଫିକ୍ରୀୟ ଦେଶ ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ୮ ଚିତାବାଘ ପହଞ୍ଚିବା ପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ହୋଇଛନ୍ତି । ଆଜି ନିଜର ୭୨ତମ ଜନ୍ମିଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚିତା ଭେଟି ଦେଇଛନ୍ତି । ଏହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ।

୫ ଟି ମାଈ ଏବଂ ୩ ଟି ଅଣ୍ଡିରା ଚିତାବାଘଙ୍କୁ ନେଇ ଏକ ସ୍ୱତନ୍ତ୍ର ବୋଇଂ ବିମାନ-୭୧୭ ଗତକାଲି ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ ବାହାରିଥିଲା । ୨୦ ଘଣ୍ଟା ସମୟ ୮ ହଜାର କିଲୋମିଟର ଯାତ୍ରା କରି ଆଜି ସକାଳେ ଗ୍ୱାଲିୟର୍ ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚିତାବାଘଙ୍କୁ ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଉପସ୍ଥିତ ରହି ଏହି ଚିତାବାଘମାନଙ୍କୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବା ପରେ ଜାତୀୟ ଉଦ୍ୟାନ ଭିତରକୁ ଛାଡ଼ିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉପସ୍ଥିତ ଥିଲେ ।

 

ଜାତୀୟ ଉଦ୍ୟାନରେ ସେମାନଙ୍କୁ ୧୦ କିଲୋମିଟର ବ୍ୟାପ୍ତ ଏକକ୍ଲୋଜରରେ ଛଡ଼ାଯାଇଛି । ସେଠାରେ ମାସେ ପର୍ଯ୍ୟନ୍ତ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବ । ସେଥିପାଇଁ ଦେହରେ ସାଟେଲାଇଟ୍ କଲାର ଲଗାଯାଇଛି । ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ କହିଥିଲେ, ଏହି ଚିତାବାଘମାନେ ଆମର ଅତିଥି । ନୂଆ ଜାଗା, ଜଳବାୟୁ ସହ ଭଲ ଭାବେ ପରିଚିତ ହୋଇଗଲା ପରେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଅନୁମତି ମିଳିବ ।

ସୂଚନାଯୋଗ୍ୟ, ୧୯୫୨ ମସିହାରେ ଭାରତରେ ଚିତାବାଘ ବିଲୁପ୍ତ ଘୋଷଣା କରାଯାଇଥିଲା । ଆଫ୍ରିକୀୟ ଦେଶରୁ ଭାରତକୁ ଚିତା ଆଣିବା ଲାଗି ୨୦୦୯ ମସିହାରୁ ଉଦ୍ୟମ ହୋଇ ଆସୁଥିଲା । ଯାହା ଏବେ ସଫଳ ହୋଇଛି । କେନ୍ଦ୍ର ସରକାରଙ୍କ ‘ପ୍ରକଳ୍ପ ଚିତା’ ଅଧୀନରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ୮ ଟି ଚିତାଙ୍କୁ ଅଣାଯାଇଥିଲା ବେଳେ ୫ ବର୍ଷ ମଧ୍ୟରେ ୫୦ ଟି ଚିତା ଆଣିବାକୁ ଯୋଜନା କରାଯାଇଛି । ଦେଶରେ ବିଭିନ୍ନ ଜାତୀୟ ଉଦ୍ୟାନରେ ସେମାନଙ୍କୁ ଛଡ଼ାଯାଇ ବଂଶ ବୃଦ୍ଧି କରାଯିବାର ଯୋଜନା ହୋଇଛି ।

Comments are closed.