ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ନେଇଥିବା ଛାତ୍ରଛାତ୍ରୀମାନେ ପାଠପଢ଼ା ଶେଷ କରିବା ପରେ ଚାକିରି ପାଉନାହାନ୍ତି। ସେଥିପାଇଁ ସେମାନେ ଠିକ୍ ସମୟରେ ଋଣ ଶୁଝିପାରୁନାହାନ୍ତି। ଏହାର ପ୍ରଭାବରେ ଦେଶରେ ଶିକ୍ଷା ଋଣ କ୍ଷେତ୍ରରେ ଅନାଦେୟ ଋଣ ବା ଏନ୍ପିଏ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଶିକ୍ଷା ଋଣରେ ଏନ୍ପିଏ ହାର ୮ ପ୍ରତିଶତରେ ପହଞ୍ଚିଛି। ପ୍ରାୟ ୮୦ ହଜାର କୋଟି ଟଙ୍କାର ଶିକ୍ଷା ଋଣ ବକେୟା ରହିଛି। ଯାହା ବ୍ୟାଙ୍କଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି। ସେଥିପାଇଁ ସେମାନେ ନୂଆ ଶିକ୍ଷା ଋଣ ଆବେଦନଗୁଡ଼ିକୁ ମଞ୍ଜୁର କରିବା ବେଳେ ସତର୍କତା ଅବଲମ୍ବନ କରୁଛନ୍ତି। କେତେକ କ୍ଷେତ୍ରରେ ନୂଆ ଋଣ ଦେବାକୁ ବ୍ୟାଙ୍କ କୁଣ୍ଠା ପ୍ରକାଶ କରୁଥିବାରୁ ବହୁ ଯୋଗ୍ୟ ଛାତ୍ରଛାତ୍ରୀ ଋଣ ପାଇବାରୁ ବଞ୍ଚିତ ହେଉଛନ୍ତି।
ଦେଶରେ ଦିଆଯାଉଥିବା ଶିକ୍ଷା ଋଣ ମଧ୍ୟରୁ ୯୦ ପ୍ରତିଶତ ସରକାରୀ ବ୍ୟାଙ୍କ ଦେଉଥିବା ବେଳେ ଘରୋଇ ବ୍ୟାଙ୍କ ୭ ପ୍ରତିଶତ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ୩ ପ୍ରତିଶତ ଶିକ୍ଷା ଋଣ ଦେଉଛନ୍ତି। ୨୦୨୧ ମାର୍ଚ୍ଚ ବେଳକୁ ଶିକ୍ଷା ଋଣରେ ବକେୟା ରାଶି ପରିମାଣ ୭୮,୮୨୩ କୋଟି ଟଙ୍କା ଥିଲା। ଅର୍ଥାତ ସେତିକି ଟଙ୍କା ବ୍ୟାଙ୍କ ପାଖକୁ ଫେରିନଥିଲା। ୨୦୨୨ ମାର୍ଚ୍ଚ ୨୫ ସୁଦ୍ଧା ବକେୟା ରାଶି ଆହୁରି ବୃଦ୍ଧି ପାଇ ୮୨,୭୨୩ କୋଟି ଟଙ୍କା ହୋଇଯାଇଥିଲା। ଶିକ୍ଷା ଋଣରେ ଅଧିକ ବକେୟା ରହୁଥିବା ପଛର କାରଣ ସମ୍ପର୍କରେ ରିସର୍ଜେଣ୍ଟ୍ ଇଣ୍ଡିଆର ଏମ୍ଡି ଜ୍ୟୋତି ପ୍ରକାଶ ଗାଦିଆ କହିଛନ୍ତି ଯେ ପ୍ରତି ବର୍ଷ କଲେଜରୁ ଯେତିକି ସଂଖ୍ୟକ ଛାତ୍ରଛାତ୍ରୀ ପାଠପଢ଼ା ଶେଷ କରୁଛନ୍ତି ସେମାନଙ୍କ ପାଇଁ ସେତିକି ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନାହିଁ। ଯେଉଁମାନେ ଶିକ୍ଷା ଋଣ ନେଇ ପାଠ ପଢ଼ିଛନ୍ତି, ସେମାନେ ଚାକିରି ପାଉନଥିବାରୁ ଋଣ ଶୁଝିପାରୁନାହାନ୍ତି। ତାହାର ପ୍ରଭାବରେ ବ୍ୟାଙ୍କଗୁଡ଼ିକ ନୂଆ ଶିକ୍ଷା ଋଣ ଦେବାକୁ ଅମଙ୍ଗ ହେଉଛନ୍ତି। ସାଢ଼େ ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣକୁ ବିନା କୌଣସି ବନ୍ଧକରେ ମଞ୍ଜୁର କରାଯାଉଛି। ସେହି ବର୍ଗରେ ନୂଆ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକ ଚାହୁନାହାନ୍ତି।
ଭାରତୀୟ ବ୍ୟାଙ୍କ ସଂଘର ମଡେଲ୍ ଶିକ୍ଷା ଋଣ ସ୍କିମ୍ ଅନୁସାରେ ବ୍ୟାଙ୍କଗୁଡ଼ିକ ଶିକ୍ଷା ଋଣ ମଞ୍ଜୁର କରୁଛନ୍ତି। ଏହି ମଡେଲ୍ ଅନୁସାରେ ବିନା କୌଣସି ବନ୍ଧକରେ ୪ ଲକ୍ଷ ଟଙ୍କାର ଶିକ୍ଷା ଋଣ ମଞ୍ଜୁର କରାଯାଉଛି। ତୃତୀୟ ପକ୍ଷଠାରୁ ଗ୍ୟାରେଣ୍ଟି ମିଳିଲେ ସାଢ଼େ ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି। କିନ୍ତୁ ୭.୫ ଲକ୍ଷ ଟଙ୍କାରୁ ଅଧିକ ଶିକ୍ଷା ଋଣ ନେବାକୁ ହେଲେ ନିଶ୍ଚିତ ରୂପେ କିଛି ସମ୍ପତ୍ତି ବନ୍ଧକ ରଖିବାକୁ ପଡ଼ୁଛି। ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଶିକ୍ଷା ଋଣକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ସଂଜ୍ଞା ଅନୁସାରେ ଅଗ୍ରାଧିକାର କ୍ଷେତ୍ର ଋଣ ବର୍ଗରେ ସାମିଲ କରାଯାଇଛି।
Comments are closed.