ପୁରୀ : ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। କାନ୍ଥ, ଛାତ, ଚଟାଣ, ଚାରିଆଡ଼େ ଫାଟ। ବର୍ଷାରେ ପାଣି ଗଳୁଛି। ଛାତ ଓଦାଳିଆ ରହୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୪ ବର୍ଷ ତଳେ ରତ୍ନଭଣ୍ଡାର ମେକାପଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରାଧିକୃତ କମିଟି ଯେତେବେଳେ ରତ୍ନଭଣ୍ଡାର ଦୁଆର ଖୋଲିଥିଲେ, ଏଭଳି କିଛି ପରିସ୍ଥିତି ଦେଖିବାକୁ ପାଇଥିଲେ। ପ୍ରାଧିକୃତ କମିଟିର ଏହି ଆଖିଦେଖା କଥା ଆଜି ବି ରତ୍ନଭଣ୍ଡାର ମେକାପଙ୍କ ରେଜିଷ୍ଟର ଖାତାରେ ପ୍ରମାଣ ଭାବେ ଉଲ୍ଲିଖିତ ରହିଛି। କେବଳ ଏତିକି ନୁହେଁ, ୨୦୧୮ ଏପ୍ରିଲ ୪ ତାରିଖ ପୂର୍ବରୁ ପ୍ରତ୍ନତତ୍ତ୍ବ ବିଭାଗ ବୈଷୟିକ ବିଶେଷଜ୍ଞ କମିଟି ଏ ଉପରେ ସତର୍କ କରାଇ ଦେଇଥିଲା। ବାହାର ରତ୍ନଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥାରେ ଥିବାବେଳେ ଭିତର ରତ୍ନଭଣ୍ଡାରର ଅନୁଧ୍ୟାନ ଆବଶ୍ୟକତା ରହିଛି ବୋଲି ମତ ରଖିଥିଲା। ଏଥିପାଇଁ ଆବଶ୍ୟକ ଅନୁମତି ବି ଲୋଡ଼ିଥିଲା।
ଏହାର ୪ ବର୍ଷ ପରେ ବି ନା ଏହି ବୈଷୟିକ ବିଶେଷଜ୍ଞ କମିଟି ରିପୋର୍ଟକୁ ଗୁରୁତ୍ବ ଦିଆଯାଇଛି, ନା ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିବା ୧୭ଜଣିଆ କମିଟି ରିପୋର୍ଟକୁ। ରତ୍ନଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥାରେ ଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଥରୁଟିଏ ହେଲେ ଆଇନ ବିଭାଗକୁ ରତ୍ନଭଣ୍ଡାର ସମ୍ପର୍କରେ ଚିଠି ଲେଖି ନଥିବା ସୂଚନା ଅଧିକାର ବଳରେ ତଥ୍ୟ ମିଳିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପରିଚାଳନା କମିଟି ଏକମାତ୍ର ସାହାଭରସା । ହେଲେ ଥରୁଟିଏ ପରିଚାଳନା କମିଟିରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠୁନି। କିନ୍ତୁ ବର୍ତ୍ତମାନ ସ୍ଥିତି ଯାହା, ଆସନ୍ତା ୨୭ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟିରେ ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ମଣତି ପ୍ରସଙ୍ଗ ଉଠିବ କି ନାହିଁ ତାହା ସ୍ଥିର ହୋଇପାରିନାହିଁ। ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ସ୍ପଷ୍ଟ କହିଛନ୍ତି ଯେ ଆସନ୍ତା ୨୭ ତାରିଖ ବୈଠକରେ ରତ୍ନଭଣ୍ଡାର ଖୋଲିବା ଓ ଏହାର ମରାମତି କରିବା ଉପରେ ସେ ବୈଠକରେ ଦାବି ଉପସ୍ଥାପନ କରିବେ।
୨୦୧୮ ଏପ୍ରିଲ ୪ ତାରିଖରେ ୧୭ଜଣିଆ କମିଟି ରତ୍ନଭଣ୍ଡାର ଖୋଲିବାକୁ ଯିବା ପୂର୍ବରୁ ହାଇକୋର୍ଟ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଆଦେଶ ଦେଇଥିଲେ। ଏହି ଆଦେଶକ୍ରମେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଯେଉଁ କମିଟିରେ ଥିବା ଜି ସି ମିତ୍ର, ଏସ ବି ଓତା, ଏ କେ ପଟେଲ, ବି କେ ରଥ, ଜେ କେ ପଟ୍ଟନାୟକ, ଏଚ ଏ ନାୟକ, ଟି କେ ଭଟ୍ଟାଚାର୍ଯ୍ୟ, ପି କେ ଦିକ୍ଷିତ, ବି କେ ଦାସ, ସି ଆର ଦାଶ, ଜେ ଆର ପ୍ରଧାନଙ୍କ ଭଳି ବରିଷ୍ଠ ବୈଷୟିକ ବିଶେଷଜ୍ଞମାନେ ରହିଥିଲେ। ସେହି ଅନୁସାରେ ବୈଷୟିକ ବିଶେଷଜ୍ଞ କମିଟି ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିଥିଲେ। ଏ ଉପରେ ୨୦୧୮ ମାର୍ଚ୍ଚ ୨୬ ତାରିଖରେ ବୈଷୟିକ ବିଶେଷଜ୍ଞ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ରତ୍ନଭଣ୍ଡାରକୁ ନେଇ ଅନେକ ସମ୍ବେଦନଶୀଳ କଥା ଉଠାଇଥିଲେ କମିଟି। ସିଧାସଳଖ କହିଥିଲେ, କମିଟି ୨୦୧୮ ମାର୍ଚ୍ଚ ୨୩ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ବାହାରୁ ଅନୁଧ୍ୟାନ କରିଥିଲା। ଯାହାକୁ ଭଣ୍ଡାର ଘର କୁହାଯାଉଛି।
ଯାହା ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଲମ୍ବା ଚଟାଣ ଉପରେ ନିର୍ମାଣ କରାଯାଇଥିଲା। ଗଠନ ଶୈଳୀ ଉପରେ କମିଟି କହିଥିଲେ ଯେ ଯେହେତୁ ବାହାରୁ ଆମେ ଅନୁଧ୍ୟାନ କରିଥିଲୁ, ତେଣୁ ଭିତର ରତ୍ନଭଣ୍ଡାର ସ୍ଥିତି ଆମକୁ ଅଜଣା ଅଛି। କିନ୍ତୁ ଏହା ୧୩ ଅବା ୧୪ଶହ ଶତାଦ୍ଦୀରେ ନିର୍ମିତ। ଏହି ଭିତର ରତ୍ନଭଣ୍ଡାର ଘରକୁ ଅମୁହାଁ ମନ୍ଦିର ବୋଲି କୁହାଯାଉଛି। କାରଣ ପ୍ରବେଶ ପାଇଁ ଏହାର କୌଣସି ଦ୍ବାର ନାହିଁ। ଏହା ରତ୍ନଭଣ୍ଡାର ଜଗମୋହନ କାନ୍ଥର ଉତ୍ତରପାର୍ଶ୍ବକୁ ରହିଥିବା କୁହାଯାଇଥିଲା। କିନ୍ତୁ ଯାଞ୍ଚ ବେଳେ ରତ୍ନଭଣ୍ଡାର ଘରର କିଛି ଜାଗାର ପ୍ଲାଷ୍ଟର ଦୁର୍ବଳ ଥିବା ଜଣାପଡ଼ୁଥିଲା। ଏହା ଉପରେ ହାତ ମାରିଲେ ଫମ୍ପା ଶଦ୍ଦ ବି ଶୁଭୁଥିଲା। ଯେହେତୁ ଭିତର ରତ୍ନଭଣ୍ଡାର ଘରକୁ ଯିବାକୁ ସୁଯୋଗ ନ ଥିଲା ସେ ଦୃଷ୍ଟିରୁ ବାହାର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରି ଫେରିଥିଲୁ। ଏଣୁ ଭିତର ରତ୍ନଭଣ୍ଡାରକୁ ପ୍ରବେଶ ଅନୁମତି ମାଗିଥିଲେ କମିଟି। ଯଦ୍ବାରା ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ନିର୍ମାଣ ଶୈଳୀ ଓ ଦୁର୍ବଳତା ଜାଣିହେବ ବୋଲି କମିଟି ଦର୍ଶାଇଥିଲା। ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ନିଶୁଣି ଓ ସୁରକ୍ଷା କର୍ମୀ ଯୋଗାଇଦେବାକୁ ବି କମିଟି କହିଥିଲା। କିନ୍ତୁ ବୈଷୟିକ ବିଶେଷଜ୍ଞ କମିଟିର ପ୍ରସ୍ତାବକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ଫଳରେ ରତ୍ନଭଣ୍ଡାର ବିପଦ ଦିନକୁ ଦିନ ବଢ଼ୁଛି ସିନା, କମିବାକୁ ନାଁ ଧରୁନି। ସେପଟେ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ରହସ୍ୟ ବି ଘନେଇବାରେ ଲାଗିଛି। ଭକ୍ତମାନେ ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ଅଛି ନା ନାହିଁ, ତାକୁ ନେଇ ସନ୍ଦେହ ପ୍ରକଟ କଲେଣି। ସରକାରଙ୍କ ନିରବତା ଏହି ସନ୍ଦେହକୁ ଦ୍ବିଗୁଣିତ କରି ଦେଉଛି।
ସୂଚନା ଯୋଗ୍ୟ, ୨୦୧୮ ଏପ୍ରିଲ ୪ ତାରିଖରେ ଯାଇଥିବା ୧୭ଜଣିଆ କମିଟି ଅନୁଧ୍ୟାନ ସମୟରେ ରତ୍ନଭଣ୍ଡାର କାନ୍ଥ ଓ ଛାତରେ ଥିବା ଫାଟ ସ୍ପଷ୍ଟ ଦେଖା ଯାଇଥିଲା। କାନ୍ଥରେ କିଛି ସ୍ଥାନ ଓଦାଳିଆ ରହିଥିଲା। କିଛି ସ୍ଥାନରୁ ପ୍ଲାଷ୍ଟର ଛେଲା ଖସି ଯାଇଥିବା ଦେଖିବାକୁ ମିଳିଥିଲା। ଇତିମଧ୍ୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍କ୍ୟୁରି ଶ୍ରୀମନ୍ଦିର ପରିଦର୍ଶକ କରି ମନ୍ଦିର ପ୍ରଶାସନ ସହ ଆଲୋଚନା କରିଛନ୍ତି। ର୨୭ ତାରିଖ ରେ ହେଉଥିବା ପରିଚାଳନା କମିଟି ବୈଠକରେ ସେ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା ହେବ ବୋଲି ସେତେବେଳେ ସୂଚନା ଦିଆଯାଇଥିଲା।
Comments are closed.