ଚିକିତ୍ସା ଅବହେଳା ଅଭିଯୋଗ, ୨ ନବଜାତ ଶିଶୁଙ୍କ ମୃତ୍ୟୁ

ଚାନ୍ଦବାଲି: ଡାକ୍ତରଙ୍କ ଅବହେଳା ଯୋଗୁଁ ଜାଆଁଳା ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଚାନ୍ଦବାଲି ବ୍ଲକ୍‌ ଭୂଇଁମୂର୍ତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ବସନ୍ତ ଦାସଙ୍କ ପତ୍ନୀ ମାନି ଦାସଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକ ଗତକାଲି ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନଥିବା ବେଳେ ଦାୟିତ୍ୱରେ ଥିବା ନର୍ସମାନେ ପ୍ରଥମେ ଏକ ମୃତ ଶିଶୁପୁତ୍ର ପ୍ରସବ କରାଇଥିଲେ। ପରେ ଡାକ୍ତରଙ୍କୁ ବାରମ୍ବାର ଡକାଯାଇଥିଲା। ସେ ୩ ଘଣ୍ଟା ବିଳମ୍ବରେ ଆସିଥିଲେ ଏବଂ ଆଉ ଏକ ଶିଶୁପୁତ୍ର ପ୍ରସବ କରାଇଥିଲେ।

ହେଲେ ଜନ୍ମର କିଛି ସମୟ ପରେ ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିଲା। ସବୁ ରି​ପୋର୍ଟ ଠିକ୍‌ ଥିବା ବେଳେ ଶିଶୁମୃତ୍ୟୁକୁ ନେଇ ପରିବାରେ ଲୋକ ତାତିଥିଲେ। ସେମାନେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏପରି ହେଲା ବୋଲି ଅଭିଯୋଗ କରିଥିଲେ। ଏନେଇ ସଂପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଭଦ୍ରକ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ ପୃଷ୍ଟିଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ଯଦି ପିଲାର ଓଜନ କମ୍‌ ଥିବ, ତେବେ ଏମିତି ହୋଇଥାଇ ପାରେ। ଅଭିଯୋଗ ଆଧାରରେ ତଦନ୍ତ କରାଯିବ ବୋଲି କହିଛନ୍ତି।

Comments are closed.