ଶିଖ୍‌ ଛାତ୍ରମାନଙ୍କୁ କୃପାଣ ନେଇ କ୍ୟାମ୍ପସ୍‌ ଯିବାକୁ ଅନୁମତି ଦେଲା ଆମେରିକୀୟ ବିଶ୍ବବିଦ୍ୟାଳୟ

ନ୍ୟୁୟର୍କ: କୃପାଣ ପରିଧାନ କରି କ୍ୟାମ୍ପସ୍‌ ମଧ୍ୟକୁ ଯିବା ପାଇଁ ଆମେରିକାର ସାର୍ଲଟ୍‌ସ୍ଥିତ ‘ୟୁନିଭର୍ସିଟି ଅଫ୍‌ ନର୍ଥ କ୍ୟାରୋଲିନା ତା’ର ‘ୱିପନ୍‌ସ୍‌ ଅନ୍‌ କ୍ୟାମ୍ପସ୍‌’ ନୀତି ନବୀକରଣ କରିଛି।

ଧର୍ମବିଶ୍ବାସ ସହିତ ଜଡ଼ିତ ଥିବା ଆଳଙ୍କାରିକ ଭୁଜାଲି ବା ‘କୃପାଣ’ ଅଣ୍ଟାରେ ବାନ୍ଧି ବିଶ୍ବବିଦ୍ୟାଳୟକୁ ଯାଇଥିବା ଜଣେ ଶିଖ୍‌ ଛାତ୍ରଙ୍କୁ ଦୁଇ ମାସ ତଳେ ଗିରଫ କରାଯିବା ଘଟଣା ପରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

ସଂଶୋଧିତ ନୀତି ଅନୁସାରେ, ଶିଖ୍‌ ଛାତ୍ରମାନେ ୩ ଇଞ୍ଚ୍‌ ଲମ୍ବର ପତ୍ର ଥିବା ଭୁଜାଲି (କୃପାଣ) ନେଇ କ୍ୟାମ୍ପସ୍‌ ଭିତରକୁ ଆସିପାରିବେ। ସର୍ତ୍ତ ହେଲା ସେ କୃପାଣଟି ସବୁବେଳେ ଖଣ୍ଡାଖାପ ମଧ୍ୟରେ ରଖି ଦେହକୁ ଲାଗି ବନ୍ଧା ହୋଇଥିବ।

ଏହି ନୀତି ପରିବର୍ତ୍ତନ ନିମନ୍ତେ ଲାଭରହିତ ସଂଗଠନ ‘ଦି ଶିଖ୍‌ କୋଆଲିସନ୍‌’ ଏବଂ ‘ଦି ଗ୍ଲୋବାଲ୍‌ ଶିଖ୍‌ କାଉନ୍‌ସିଲ୍‌’ ସମେତ ଶିଖ୍‌ ନେତାମାନଙ୍କୁ ଏକ ବିବୃତିରେ ବିଶ୍ବବିଦ୍ୟାଳୟ ଧନ୍ୟବାଦ ଜଣାଇଛି।

ସୂଚନାଯୋଗ୍ୟ, ଅମୃତଧାରୀ (ଶିଖ୍‌ ଧର୍ମରେ ଦିକ୍ଷୀତ ବ୍ୟକ୍ତିବିଶେଷ) ପାଞ୍ଚଟି ଧାର୍ମିକ ସଙ୍କେତ ବହନ କରନ୍ତି। ସେଗୁଡ଼ିକ ହେଉଛି, ଦୀର୍ଘ କେଶ, କଡ଼ା, ଛୋଟ ପାନିଆ, କାଛିଆ ଏବଂ କୃପାଣ।

Comments are closed.