ସେପ୍ଟେମ୍ବର ୩୦ରେ ମାଗଣା ଟିକାର ଅବଧି ଶେଷ , ଟିକା ନେବାକୁ ସମସ୍ତଙ୍କୁ ନିବେଦନ କରିଛି ସ୍ୱାସ୍ଥ୍ୟ ବିଭାଗ।

ଭୁବନେଶ୍ୱର : ସରୁଛି ମାଗଣା ଟିକାର ଅବଧି। ତୁରନ୍ତ ଟିକା ନେବାକୁ ସମସ୍ତଙ୍କୁ ନିବେଦନ କରିଛି ସ୍ୱାସ୍ଥ୍ୟ ବିଭାଗ। ସେପ୍ଟେମ୍ବର ୩୦ରେ ମାଗଣା ଟିକାର ଅବଧି ଶେଷ ହେବାକୁ ଥିବାରୁ ତୁରନ୍ତ ଟିକା ନେଇଯିବା ଲାଗି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।
ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ପ୍ରତିଷେଧାତ୍ମକ ପାନ ଟିକା ନେଇ ନାହାନ୍ତି। ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ପ୍ରତିଷେଧାତ୍ମକ ପାନ ଟିକା ନେଇ ନାହାନ୍ତି। ‌େ‌ସହିପରି ଦ୍ୱିତୀୟ ପାନ ନେବାକୁ ଭୁଲି ଯାଇଛନ୍ତି ୨୩ ଲକ୍ଷ ୩୨ ହଜାର ଲୋକ। ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୋଳ, ପୁରୀ ଓ ସୁନ୍ଦରଗଡ଼ ଜିଲାରେ ଟିକା ନେବା ପାଇଁ ଲୋକେ ବିଶେଷ ଆଗ୍ରହ ଦେଖାଉ ନାହାନ୍ତି ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଆଜି ରାଜ୍ୟରେ ୧ ଲକ୍ଷ ୫୮ ହଜାର ୫୯୭ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଟିକାକରଣ ୭ କୋଟି ୬୦ ଲକ୍ଷ ୬୨ ହଜାର ୪୪୩ରେ ପହଞ୍ଚିଛି। ସେହିପରି ଏପର୍ଯ୍ୟନ୍ତ ୧୮-୫୯ ବର୍ଷ ବର୍ଗର ୫୭ ଲକ୍ଷ ୧୪ ହଜାର ୨୨୪ ଜଣ ପ୍ରତିଷେଧାତ୍ମକ ପାନ ଟିକା ନେଇଥିବାବେଳେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ମିଶାଇ ଏହା ୬୩ ଲକ୍ଷ ୯୪ ହଜାର ୭୬୩ରେ ପହଞ୍ଚିଛି। ସେହିପରି ୮୨ ଲକ୍ଷ ୩୩ ହଜାର ୯୮୨ ବରିଷ୍ଠ ନାଗରିକ ପ୍ରତିଷେଧାତ୍ମକ ପାନ ଟିକା ନେଇଛନ୍ତି।

Comments are closed.