ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଇସ୍ତଫା ।

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଯୁଗ ଶେଷ ହୋଇଛି। ବହୁ ବାଦବିବାଦରେ ଛନ୍ଦିହୋଇ ପ୍ରଫେସର ମିତ୍ତଲ ଶେଷରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। କୁଳାଧିପତି ତଥା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କର ଇସ୍ତଫାପତ୍ରକୁ ମଧ୍ୟ ଗ୍ରହଣ ‌କରି ନେଇଛନ୍ତି। ବିବାଦୀୟ ଅବସ୍ଥାରେ କାର୍ଯ୍ୟକାଳ ଅଧାରୁ ବିଶ୍ବବିଦ୍ୟାଳୟ ଛାଡ଼ି ପଳାଇବା ଘଟଣା ସମ୍ବଲପୁର ବିଶ୍ବବିଦ୍ୟାଳୟ ଇତିହାସରେ ପ୍ରଥମ ବୋଲି କହାଯାଉଛି। ଏବେ, ପ୍ରଫେସର ମିତ୍ତଲ କାର୍ଯ୍ୟକାଳ ସମୟରେ ହୋଇଥିବା ବିଭିନ୍ନ ଗୁରୁତର ଆର୍ଥିକ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ସହିତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ଜୋର୍‌ ଧରିଛି। ସୂଚନା ଅନୁସାରେ, ଗତ ୨୮ ତାରିଖରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଇସ୍ତଫାପତ୍ର କୁଳାଧିପତିଙ୍କ ପାଖକୁ ପଠାଇଥିଲେ। କୁଳାଧିପତି ପ୍ରଫେସର ମିତ୍ତଲଙ୍କ ଇସ୍ତଫାକୁ ଗ୍ରହଣ କରିନେବା ସହିତ ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ୍‌ର ଅଧ୍ୟକ୍ଷଙ୍କୁ ଭାରପ୍ରାପ୍ତ କୁଳପତି ଦାୟିତ୍ବ ପ୍ରଦାନ କରିଛନ୍ତି। ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ସଂଯୁକ୍ତା ଦାସ ନୂଆ କୁଳପତି ଚୟନ ହେବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭାରପ୍ରାପ୍ତ କୁଳପତି ଦାୟିତ୍ବ ତୁଲାଇବେ। ଉଲ୍ଲେ‌ଖଯୋଗ୍ୟ ଯେ ପ୍ରଫେସର ମିତ୍ତଲ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ଗତବର୍ଷ ଜାନୁଆରି ୨୫ ତାରିଖରେ ଦାୟିତ୍ବ ଗ୍ରହଣ କରିଥିଲେ। ଚାରି ବର୍ଷ ପାଇଁ ସେ ଏହି ସମ୍ମାନଜନକ ପଦରେ ଅବସ୍ଥାପିତ ହୋଇଥିଲେ। ତେବେ ଦାୟିତ୍ବ ଗ୍ରହଣ ଦିନଠାରୁ ହିଁ ସେ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଥିଲେ। ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ବହୁ ମୂଲ୍ୟବାନ ଗଛକଟାରୁ ଏହି ବିବାଦର ଅୟମାରମ୍ଭ ହୋଇଥିଲା। ପ୍ରଫେସର ମିତ୍ତଲଙ୍କଠାରୁ ଅପମାନିତ ହୋଇ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମାହୂତି ଦେଇଥିଲେ। ଏହି ଘଟଣାରେ ପୁଲିସ ପକ୍ଷରୁ ରୁଜୁ ମାମଲାରେ ପ୍ରଫେସର ମିତ୍ତଲ ମୁଖ୍ୟ ଅଭିଯୁକ୍ତ ଥିଲେ। ଗିରଫଦାରିରୁ ବର୍ତ୍ତିବା ପାଇଁ ସେ ଏହି ମାମଲାରେ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିଲେ।

Comments are closed.